ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ। ତାପରେ ଶ୍ରୀଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଜଳାଭିଷେକ ମଧ୍ୟ କରିଥିବା ସୂଚନା ରହିଛି।ଏହାପରେ ଶ୍ରୀ ଶାହ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ସେ ପ୍ରାୟ ୨୦ ମିନିଟ୍ ଅତିବାହିତ କରିଥିଲେ । ଏହାପରେ ମନ୍ଦିିରର ଦଶନ‌ାର୍ଥୀ ଖାତାରେ ସ୍ବାକ୍ଷର କରି ମନ୍ଦିରରୁ ବାହାରିଥିଲେ।  ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥି‌ଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ଅମିତ ଶାହ ପ୍ରଥମ ଥର ଲାଗି ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୫ ଓ ୨୦୧୭ରେ ଭୁବନେଶ୍ବର ଗସ୍ତରେ ଆସିଥିବା ସମୟରେ  ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିଥିଲେ।