ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯାଇଛି । କଳାରେ ପାସ୍‌ ହାର ମୋଟ ୮୧.୧୦ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ରହିଛି । କଳାରେ ଛାତ୍ରଙ୍କ ପାସ୍‌ହାର ଅପେକ୍ଷା ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ହାର ୭୫.୦୮ ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୮୭.୪୭ ପ୍ରତିଶତ ରହିଛି ।

କଳାରେ ମୋଟ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିବା ଜଣାପଡ଼ିଛି । ଛାତ୍ରଛାତ୍ରୀମାନେ  www.odisharesults.nic.in ରେ ରେଜଲ୍ଟ ଦେଖି ପାରିବେ । ଅପରାହ୍ନ ୫ଟା ସମୟରେ ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ୱର ଦେଇ ପରୀକ୍ଷା ଫଳ ଜାଣିପାରିବେ ବୋଲି କର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯାଇଥିଲା । କଳାର ଫଳାଫଳ ଅଗଷ୍ଟ ୮ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ ।