ଆଜିବି ଉପାସରେ ବାବା ଲିଙ୍ଗରାଜ

ଭୁବନେଶ୍ୱର: ଆଜିବି ଉପାସରେ ବାବା ଲିଙ୍ଗରାଜ ପଇତା ଲାଗି ନୀତିକୁ ନେଇ ବିବାଦ । ହୋଇପାରିଲାନି ନୀତିକାନ୍ତି । ଖାଡ଼ା ଉପାସ ରହିଲେ ପ୍ରଭୁ ଶ୍ରୀଲିଙ୍ଗରାଜ, ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ବିବାଦରୁ ଅଚଳାବସ୍ଥା । ଯାହା ଆଶଙ୍କା କରାଯାଉଥିଲା, ତାହା ସତ୍ୟ ହେଲା । ଶ୍ରୀ ଲିଙ୍ଗରାଜଙ୍କ ପବିତ୍ରାରୋପଣ ନୀତିକୁ ଜାଣିଜାଣି ବନ୍ଦ କରିଦିଆଗଲା । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କୁ ମଧ୍ୟ ଉପବାସ ରଖିଲେ ।

ଏହି ନୀତି ସହ ସମ୍ପୃକ୍ତ ସେବାୟତଙ୍କ ମନମୁଖୀ କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି । ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ବହୁ ପୁରାତନ ପରମ୍ପରା ସମ୍ପନ୍ନ ହେବାରେ ବାଧା ଉପୁଜିଛି । ମଙ୍ଗଳବାର ଥିଲା ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତିର ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟ । ସେସବୁକୁ ସମ୍ପାଦନ କରାଯାଇନଥିଲା । ତେଣୁ ଏହି ନୀତି ବନ୍ଦ ହେବା ସ୍ପଷ୍ଟ ହୋଇଥିଲା ।

ମଙ୍ଗଳବାର ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ନୀତି ପାଇଁ ପଇତା ବିନ୍ଦୁସାଗରରେ ଧୁଆ ହୋଇ ଅଧିବାସ ଓ ପରେ ବଡ଼ସିଂହାର ନୀତି କରାଯିବାର କାର୍ଯ୍ୟକ୍ରମ ଥିଲା । ଏସବୁ ନ ହୋଇ ପାରିବା କାରଣରୁ ରାତି ୯ଟାରୁ ସମସ୍ତ ନୀତି ବନ୍ଦ ରହିଥିଲା । ଫଳରେ ବୁଧବାର ପବିତ୍ର ଶିବ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କଠାରେ ପଇତା ଲାଗି ହୋଇନାହିଁ । ଯାହା ସୂଚନା ରହିଛି ଆଜି ବି ବନ୍ଦ ରହିଛି ନୀତିକାନ୍ତି ।