ଲଘୁଚାପ ପରେ ଲଘୁଚାପ

ଲଘୁଚାପ ପରେ ଲଘୁଚାପ । ଏ ଲଘୁଚାପ ପ୍ରକୋପ ସରିନି, ଆଉ ଗୋଟିଏ ଦାନା ବାନ୍ଧିଲାଣି । ତା’ ପଛକୁ ପୁଣି ଗୋଟିଏ ଆସିବ । ଆସନ୍ତା ୧୩ରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ୧୬ ତାରିଖ ଯାଏଁ । ପୁଣି ୧୭ ତାରିଖରେ ଆସିବ ଆଉ ଗୋଟିଏ ଲଘୁଚାପ । ଏମିତି ଘନଘନ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ସେତିକି ନୁହେଁ, ସମ୍ଭାବ୍ୟ ଲଘୁଚାପ ଛତିଶଗଡ଼ରେ ବି ପ୍ରବଳ ବର୍ଷା ଢାଳିପାରେ । ଏଭଳି ଲଗାଣ ବର୍ଷା ଡାକି ଆଣିପାରେ ବଡ଼ ବନ୍ୟାକୁ । ବିଶେଷଜ୍ଞ ସତର୍କ କରାଇଲେଣି, ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ରହିଛି । ଆଗକୁ ମହାନଦୀ ବି ଉଛୁଳିପାରେ ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ମହାନଦୀ, ବଂଶଧାରା, ବୈତରଣୀ, ବ୍ରାହ୍ମଣୀ ଆଦି ବିଭିନ୍ନ ନଦୀର ଜଳସ୍ତର ଫୁଲୁଛି । ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, ଗଜପତି, ଯାଜପୁର, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନେକ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।