‘ସରକାରଙ୍କ ବିଫଳତା ଯୋଗୁଁ ପୁଞ୍ଜି ଫେରୁଛି’

୧୦୦ ଦିନର ସରକାର ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର, ୨୭/୦୯: ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି। କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି । ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ନାରୀ ନିର୍ଯାତନା ବଢି ଚାଲିଛି । ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି । ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଓଡିଶାରୁ ପୁଞ୍ଜି ଫେରି ଯାଉଛି । ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ । ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଥିଲେ ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି । ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି । ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ । ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍‌ ରହିଛି ।