ନାଫେଡ୍‌ ମାଧ୍ୟମରେ ପିଆଜ ବିକ୍ରୟ

କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି ହେଲା ପିଆଜ

ଭୁବନେଶ୍ୱର, ୨୭/୦୯: ରାଜ୍ୟରେ ପିଆଜର ମୂଲ୍ୟ ବୃଦ୍ଧି ପାଉଥିବା ଦୃଷ୍ଟିରୁ ନାଫେଡ୍‌ ମାଧ୍ୟମରେ ସରକାର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ଧରି ନାଫେଡ୍‌ ଦ୍ୱାରା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖାଉଟିମାନଙ୍କୁ ନାଫେଡ୍‌ ଦ୍ୱାରା ପିଆଜ ବଣ୍ଟନ କରାଯାଉଛି । ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ବାରଙ୍ଗ, ୟୁନିଟ୍‌-୪, ଲକ୍ଷ୍ମୀସାଗର, କଳ୍ପନା ଛକ, ରୂପାଲି ଛକ, ନାଫେଡ଼୍‌ କାର୍ଯ୍ୟାଳୟ, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ଖାଉଟିମାନଙ୍କୁ କିଲୋଗ୍ରାମ ପ୍ରତି ୩୫ ଟଙ୍କାରେ ପିଆଜ ବିକ୍ରୟ କରାଯାଇଛି । ଏଥି ନିମନ୍ତେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦରଦାମ ନିୟନ୍ତ୍ରଣ କରିବା ନିମନ୍ତେ ବିଭାଗୀୟ ଅଧିକାରୀ, ସଂପୃକ୍ତ ବ୍ୟବସାୟୀ, ମଣ୍ଡି ମାଲିକ ଓ ଖୁଚୁରା ବେପାରୀ ମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ । ଫଳସ୍ୱରୂପ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଏହି ପିଆଜ ବିକ୍ରୟ କରାଯାଉଛି । ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ରୋକିବା ନିମନ୍ତେ ସରକାର ଖାଉଟିମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ନାଫେଡ୍‌ ମାଧ୍ୟମରେ ଆଳୁ ଓ ପିଆଜ ସଂଗ୍ରହ କରି ଖାଉଟମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳକୁ ନାଫେଡ୍‌ ମାଧ୍ୟମରେ ପିଆଜ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।