ଅକ୍ଟୋବର ୯ରେ ମିଳିବ ସୁଭଦ୍ରା ଟଙ୍କା

ବାରିପଦାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଭଦ୍ରା ଟଙ୍କା ବଣ୍ଟନ କରିବେ।

୧ କୋଟି ନମ୍ବର ହିତାଧିକାରୀ ହେବେ ସମ୍ମାନିତ

ଭୁବନେଶ୍ୱର, ୨୯/୦୯: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଘୋଷଣା। ଆସନ୍ତା ଅକ୍ଟୋବର ୯ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ୭ ତାରିଖ ଭିତରେ ଆବେଦନ କରିଥିବା ମହିଳାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଯାଏଁ ୯୬ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଯୋଡି ହେବା ପାଇଁ ଆବେଦନ କରିଛନ୍ତି। ଆବେଦନ କରିଥିବା ୪୦ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ପଠାଯିବ। ଗତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଟଙ୍କା ମିଳିଥିଲା। ସେହିପରି ସୁଭଦ୍ରା ଯୋଜନାର ଏକ ନମ୍ବର ମହିଳା ଓ କୋଟିଏ ନମ୍ବର ମହିଳାଙ୍କୁ ଡକା ଯାଇ ସଭାରେ ସମ୍ମାନିତ କରାଯିବ। ଏ ନେଇ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନ କରାଯିବ।