ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ନିପାତ କଲା ଇସ୍ରାଏଲ

ହିଜବୁଲ୍ଲାର ସାଉଥ୍ ଫ୍ରଣ୍ଟ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ହିଜବୁଲ୍ଲା ଠିକଣା ଉପରେ ୮୦ରୁ ଉର୍ଦ୍ଧ୍ଵ ବୋମା ମାଡ଼

ନୂଆଦିଲ୍ଲୀ, ୨୮/୦୯: ଲେବାନନର ବେରୁତରେ ଏୟାର ଷ୍ଟ୍ରାଇକରେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛନ୍ତି ବୋଲି ଦାବି କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)। ଗତ ଶୁକ୍ରବାର ରାତିରେ ଇସ୍ରାଏଲ ବାୟୁସେନାର ବିମାନ ଅପରେଶନ ନ୍ୟୁ ଅର୍ଡର ନାମରେ ହିଜବୁଲ୍ଲାର ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିଥିଲା।

ହସନ ନସରଲ୍ଲା ଆଉ ବିଶ୍ୱକୁ ଆତଙ୍କିତ କରିପାରିବେ ନାହିଁ ବୋଲି ଆଇଡିଏଫ ଟୁଇଟ୍ କରି କହିଥିବା ବେଳେ ହିଜବୁଲ୍ଲାର ଜଣେ ମୁଖପାତ୍ର କହିଥିଲେ ଯେ ନସରଲ୍ଲାଙ୍କ କୌଣସି କ୍ଷତି ହୋଇନାହିଁ। ହିଜବୁଲ୍ଲାର ମୁଖ୍ୟାଳୟ ଉପରେ ଲକ୍ଷ୍ୟ କରି ୮୦ରୁ ଅଧିକ ବୋମାମାଡ କରିଥିଲା ଆଇଡିଏଫ।

ଇସ୍ରାଏଲ ସେନା କହିଛି, ଶୁକ୍ରବାର ହୋଇଥିବା ଆକ୍ରମଣରେ ହିଜବୁଲ୍ଲାର ଦକ୍ଷିଣ ମୋର୍ଚ୍ଚାର କମାଣ୍ଡର ଅଲ୍ଲୀ କାର୍କି ଏବଂ ଅତିରିକ୍ତ କମାଣ୍ଡରମାନେ ମଧ୍ୟ ଆକ୍ରମଣରେ ନିହତ ହୋଇଛନ୍ତି। ନସରଲ୍ଲାଙ୍କ ଝିଅ ଜୈନବ ନସରଲ୍ଲା ମଧ୍ୟ ଏହି ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ।

ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶୁକ୍ରବାର ହୋଇଥିବା ଏୟାର ଷ୍ଟ୍ରାଇକରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୧ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।

ଆତଙ୍କବାଦକୁ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ ପାଲେଷ୍ଟାଇନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସ ଉପରେ ଆକ୍ରମଣ କରିବା ପରେ ଲେବାନନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଉପରେ ମଧ୍ୟ ଟାର୍ଗେଟ କରିଛି। ଗତ ଜୁଲାଇ ମାସରେ ହମାସର ରାଜନୈତିକ ଶାଖା ମୁଖ୍ୟ ଇସମାଇଲ ହାନିୟେ ଏବଂ ହିଜବୁଲ୍ଲାର ଶୀର୍ଷ କମାଣ୍ଡର ଫୁଆଦ ଶୁକ୍ରଙ୍କୁ ନିପାତ କରିଥିଲା ଆଇଡିଏଫ।