ତିନିମାସରେ ଚାରି ଥର ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରୁଛି

ଭଦ୍ରକ ଓ ସୋନପୁର ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ। ବିଜେଡ଼ି ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ନବୀନ।

ଶାନ୍ତି ଓ ସଦଭାବ ପାଇଁ ସମସ୍ତେ କାମ କରିବାକୁ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର, ୩୦/୦୯: ଆଜି ଶଙ୍ଖ ଭବନଠାରେ ଭଦ୍ରକ ଓ ସୋନପୁର ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୁତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି। ପ୍ରଥମେ ବାଲେଶ୍ୱର ପରେ ପରେ ଖୋର୍ଦ୍ଧା, ଧାମନଗର ଓ ଭଦ୍ରକରେ ସାମ୍ପ୍ରଦାୟିକ ଅଶାନ୍ତି ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ଶାନ୍ତି ଓ ସଦଭାବ ଓଡିଶାର ପରିଚୟ। ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ସରକାର ସମୟରେ ଗରିବୀ ହ୍ରାସ ପାଇଁ ଅନେକ କାମ ହୋଇଛି। ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦%ରୁ କମି ୧୦%ରେ ପହଞ୍ଚିଛି। ବିକାଶର ବିଭିନ୍ନ ସୂଚକାଙ୍କରେ ଓଡିଶା ଭଲ ପ୍ରଦର୍ଶନ କରିଛି। ବିଜେଡ଼ି ସରକାର ସମୟର ଭଲ କାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପିର ମିଛ ଲୋକଙ୍କୁ ଜଣାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ। ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଜଗନ୍ନାଥ ସ୍ୱାଇଁ, ମଧୁ ହୋତା, ସୋନପୁର ଜିଲ୍ଲା ପରିଷଦ ସଭାପତି, ପୌରପରିଷଦ ଓ ଦୁଇ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ।