ଅନୁଗୁଳର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ସମସ୍ତେ ଏକଜୁଟ ହୋଇ ଦଳ ପାଇଁ କାମ କରିବାକୁ ଏବଂ ଆଗାମୀ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ରହିବାକୁ ପରାମର୍ଶ ଦେଲେ ନବୀନ ପଟ୍ଟନାୟକ।

ମୌସୁମୀ ପରେ ଜିଲ୍ଲା ବୁଲିବେ

ଭୁବନେଶ୍ୱର, ୦୧/୧୦: ଆଜି ଶଙ୍ଖ ଭବନଠାରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୁତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଥିଲା। ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା। ବିଜେଡି ସରକାର ସମୟରେ ଜିଲ୍ଲାର ବିକାଶ ପାଇଁ ଅନେକ କାମ ହୋଇଥିଲା। ବିଭିନ୍ନ ପଂଚାୟତ ଓ ପୌର ପରିଷଦରେ ବିଜେଡିର ସ୍ଥିତି ମଜବୁତ ରହିଛି। ତେଣୁ ପୂର୍ବ ପରି ଅଧିକ ନିଷ୍ଠାର ସହ ଲୋକଙ୍କ ସେବା ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ସରକାର ସମୟରେ ଗରିବୀ ହ୍ରାସ ପାଇଁ ଅନେକ କାମ ହୋଇଛି। ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦% ରୁ କମି ୧୦ % ରେ ପହଂଚିଛି। ବିକାଶର ବିଭିନ୍ନ ସୂଚକାଙ୍କରେ ଓଡିଶା ଭଲ ପ୍ରଦର୍ଶନ କରିଛି। ବିଜେଡ଼ି ସରକାର ସମୟର ଭଲ କାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପିର ମିଛ ଲୋକଙ୍କୁ ଜଣାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ। ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

ମୌସୁମୀ ପରେ ଜିଲ୍ଲା ବୁଲିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ। ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ବ୍ରଜ ପ୍ରଧାନ ପୂଜାରୀ ,ବିଧାୟକ ଶ୍ରୀ ନଳିନୀ ପ୍ରଧାନ ପୂର୍ବତନ ବିଧାୟକ ମହେଶ ସାହୁ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ପ୍ରମୁଖ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ, ପଂଚାୟତ ଓ ପୌର ପାଳିକାର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।