ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି

ସାଲେପୁର ଜେଏମ୍ଏଫସି କୋର୍ଟ ରାୟକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ।

ହାଇକୋର୍ଟରୁ ମିଳିଲା କ୍ଲିନଚିଟ୍

କଟକ, ୦୧/୧୦: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିଲା ଆଶ୍ୱସ୍ତି। ମଙ୍ଗଳବାର ଓଡ଼ିଶା ହାଇକୋର୍ଟରୁ ତାଙ୍କୁ ମିଳିଛି କ୍ଲିନ୍ ଚିଟ୍। ସାଲେପୁର ଜେଏମ୍ଏଫସି କୋର୍ଟଙ୍କ ପୂର୍ବ ରାୟକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ପ୍ରତାପ ଜେନାଙ୍କ ବିରୋଧରେ କାହିଁକି ତଦନ୍ତ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ ଜେଏମ୍ଏଫସି କୋର୍ଟ।

ହାଇକୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରତାପ ଜେନା କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ଦୁଇ ବର୍ଷ ଧରି ମୋତେ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ଥିଲା। କିନ୍ତୁ ଆଜି ଏଥିରେ ପୂର୍ଣ୍ଣଛେଦ ପଡିଛି ବୋଲି କହିଛନ୍ତି ଶ୍ରୀ ଜେନା।

୨୦୨୧ ଜାନୁଆରୀ ୩ ତାରିଖରେ ବିଜେପି ନେତା ତଥା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ (୭୫) ଓ ତାଙ୍କ ଘନିଷ୍ଠ ସହଯୋଗୀ ଦିବ୍ୟସିଂହ ବରାଳ (୮୦)ଙ୍କୁ ମାହାଙ୍ଗା ତହସିଲ ଅନ୍ତର୍ଗତ ଜାନକୋଟି ଗ୍ରାମ ନିକଟରେ ଏକ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଏହି ମାମଲାରେ ଅଭିଯୁକ୍ତ ଭାବେ ପ୍ରତାପ ଜେନାଙ୍କ ସହ ୧୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଟାଙ୍ଗୀ ଗୋବିନ୍ଦପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା କଟକ ସାଲେପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଜଘନ୍ଯ ହତ୍ୟାକାଣ୍ଡ ପଛରେ ପ୍ରତାପ ଜେନାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା। ତେବେ ଏହି ହତ୍ୟାକାଣ୍ଡ ସମ୍ପର୍କିତ ଯଥେଷ୍ଟ ପ୍ରମାଣ ନଥିବାରୁ ଅଦାଲତ ପ୍ରତାପଙ୍କୁ ଦୋଷମୁକ୍ତ କରିଛନ୍ତି।

ସେପ୍ଟେମ୍ବର ୨୪, ୨୦୨୩ରେ ଜେଏମଏଫସିଙ୍କ ଆଦେଶ ଦ୍ୱାରା ଅଭିଯୁକ୍ତ ପ୍ରତାପ ଜେନାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୦୨, ୫୦୬, ୧୨୦ ବି ଅନୁଯାୟୀ ଅପରାଧ ପାଇଁ ଏକ ପ୍ରାଥମିକ ଦଣ୍ଡନୀୟ ମାମଲା ରୁଜୁ ହୋଇଥିଲା। ତେବେ ୨୦୨୩ ଅକ୍ଟୋବର ୩୧ ତାରିଖରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ପିଟିସନ୍ ଦାଖଲ କରିଥିଲେ ପ୍ରତାପ ଜେନା। ଶ୍ରୀ ଜେନାଙ୍କୁ ପ୍ରଥମେ ୨୦୨୩ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ତାରିଖରେ ତାଙ୍କ ଆବେଦନର ଶୁଣାଣି କରି ଏହି ଆଦେଶକୁ ବୃଦ୍ଧି କରାଯାଇଥିଲା।