କାମ ନ କରି ବାହାବା ନେବାକୁ ଚେଷ୍ଟା କରୁଛି ବିଜେପି ସରକାର

ମା' ସମଲେଇ ମନ୍ଦିର ଆଗରେ ପୋଷ୍ଟର ଲଗାଇ ନିଜର ପ୍ରଚାର କରୁଛି ବିଜେପି ସରକାର।

ବିଜେପି ସରକାର କପି ପେଷ୍ଟ ସରକାର: ବିଜେଡି

ଭୁବନେଶ୍ୱର, ୦୭/୧୦: ରାଜ୍ୟରେ ଥିବା ବିଜେପି ସରକାର ଏକ କପି ପେଷ୍ଟ ସରକାର ଓ କେବଳ ନବୀନ ସରକାରଙ୍କ ଅମଳରେ ହୋଇଥିବା କାର୍ଯ୍ୟକୁ ବା ଯୋଜନା ଗୁଡିକୁ ନାମ ଓ ରଙ୍ଗ ପରିବର୍ତ୍ତନ କରି ଚଳାଉଛନ୍ତି ବୋଲି ବିଜେଡି ତରଫରୁ ଅଭିଯୋଗ କରାଯାଉଛି । ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ଶ୍ରୀ ପୂଜାରୀ କହିଥିଲେ, ଓଡ଼ିଆରେ ଗୋଟେ ଢଗ ଅଛି, ଗାଲୁଆଙ୍କ ବାରବାଟୀ ଚାଷ । ଏହି ଢଗଟି ବର୍ତ୍ତମାନର ବିଜେପି ସରକାରଙ୍କ ପାଇଁ ପ୍ରଯୁଜ୍ୟ । କାରଣ ସରକାରକୁ ଆସିବାର ୧୨୦ ଦିନ ବିତି ଯାଇଥିଲେ ସୁଦ୍ଧା, କୌଣସି ନୂତନ କାମ ନକରି କେବଳ ନବୀନ ସରକାରଙ୍କ କାର୍ଯ୍ୟର ନାମ ଓ ରଙ୍ଗ ପରିବର୍ତ୍ତନ କରି ସରକାର ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ୱରୂପ, ଗତ ଦୁଇ ଦିନ ହେଲା ସମ୍ୱଲପୁରର ମା ସମଲେଇଙ୍କ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫଟୋଥିବା ଏକ ପୋଷ୍ଟର ଲଗାଯାଇଛି ଓ ସମାନ ପୋଷ୍ଟର ମଧ୍ୟ ନେଲସନ ମଣ୍ଡେଲା ଛକରୁ ଛାପୁର ଛକ ପର୍ଯ୍ୟନ୍ତ ରାସ୍ତାର ବ୍ରିଜ ସମ୍ମୁଖରେ ମଧ୍ୟ ଲଗାଯାଇଛି । ସାରା ରାଜ୍ୟବାସୀ ଜାଣନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମା ସମଲେଶ୍ୱରୀ ପୀଠର ରୁପାନ୍ତିକରଣକୁ ସଫଳତାର ସହିତ ସମ୍ପୂର୍ଣ କରାଯାଇଥିଲା । ସେହିପରି, ଛାପୁର ବ୍ରିଜ ମଧ୍ୟ ତାଙ୍କରି ସମୟରେ ହୋଇଥିଲା । ବର୍ତ୍ତମାନର ବିଜେପି ସରକାର ବ୍ୟାନର ଲଗାଇ ନିଜର ପ୍ରଚାର କରିବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ କାମ କରି ପୋଷ୍ଟର ବ୍ୟାନର ଲଗାନ୍ତୁ, ସେଥିରେ ଅସୁବିଧା ନାହିଁ । କାମ ନକରି କେବଳ ପୋଷ୍ଟର ବ୍ୟାନର ଲଗାଇ ବାହାଦୁରି ନେବାକୁ ଚେଷ୍ଟାକଲେ ଲୋକ ଗ୍ରହଣ କରିବେ ନାହିଁ ।

ସେହିପରି, ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ବେଞ୍ଚ ପ୍ରତିଷ୍ଠା ନେଇ ବିଜେପି ସରକାର କୌଣସି ଆନ୍ତରିକତା ଦେଖାଇ ନାହାନ୍ତି । ପ୍ରଥମେ ଏପରି କୌଣସି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ, ପରେ ଏହା ବିଚାରାଧୀନ ଅଛି ବୋଲି କହିଲେ । ସରକାର ସ୍ପଷ୍ଟ କରନ୍ତୁ, କେବେ ଏହି ବେଞ୍ଚ ପ୍ରତିଷ୍ଠା ହେବ । ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନିଭରସିଟିର ମାନ୍ୟତା, ଭିସୁଟ୍‌କୁ ଆଇଆଇଟିର ମାନ୍ୟତା ଇତ୍ୟାଦିର କାମ ରହିଛି । ଏହି ସବୁ କାମ କରି ସରକାର ନିଜର ପ୍ରଚାର କରନ୍ତୁ, ମନା ନାହିଁ । କିଛି କାମ ନକରି କେବଳ ପୋଷ୍ଟର ବ୍ୟାନର ମାରିଲେ ଲୋକେ ଗ୍ରହଣ କରିବେ ନାହିଁ । ଛତିଶଗଡ଼ ସରକାରଙ୍କ ଦ୍ୱାରା କରାଯାଇଥିବା ବ୍ୟାରେଜ ଗୁଡିକ ହୀରାକୁଦ ଡ୍ୟାମ ପ୍ରତି ବିପଦ ସୃଷ୍ଟି କରୁଛି । ବର୍ତ୍ତମାନ ଓଡିଶା ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ଏହି ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ ନକରି ପ୍ୟାକେଜ ଘୋଷଣା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି ବୋଲି ଶ୍ରୀ ପୂଜାରୀ କହିଥିଲେ ।