ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ: ବିଜେଡି

• ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା। • ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ସୁଦୃଢ଼ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା, ବୃହତ ବାତ୍ୟାକୁ ମୁକାବିଲା ପାଇଁ ସକ୍ଷମ। • ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ପାଇଁ ବାତ୍ୟା ମୁକାବିଲାରେ ବିଫଳ।

ବାତ୍ୟାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଶୂନ୍ୟ କାଜୁଆଲିଟି ଦାବି ହାସ୍ୟାସ୍ପଦ

ଭୁବନେଶ୍ୱର, ୨୬/୧୦: ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି । ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା । ଅତିକମ୍‌ରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ । ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି, ପ୍ରାୟ ଛଅ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସରକାର ଦାବି କରୁଥିଲା ବେଳେ ଏହି ତଥ୍ୟର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାତ୍ୟାର ପୂର୍ବ ମୁହୂର୍ତ୍ତ, ଏପରିକି ବାତ୍ୟା ପରେ ମଧ୍ୟ କିଛି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ଦୃଶ୍ୟ ନଜରକୁ ଆସିଛି । ତାଛଡ଼ା ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକ ମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇଛି ।
ବାତ୍ୟା ଦାନାର ସୂଚନା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମିଳିଥିଲା ଏବଂ ସରକାରଙ୍କ ପାଖରେ ମୁକାବିଲାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସୂଚନା ଥିଲେ ମଧ୍ୟ ସରକାର ପ୍ରସ୍ତୁତି କରିବାରେ ବିଫଳ ହୋଇଥିଲେ । ବାତ୍ୟାରେ ପବନର ଗତି ୧୦୦ରୁ ୧୨୦ କିମି ହେବ ବୋଲି ସୂଚନା ଦିଆଯାଉଥିଲା, କିନ୍ତୁ ବାତ୍ୟା ସମୟରେ ୬୦ରୁ ୮୦ କିଲୋମିଟର ଥିଲା, ଯାହା ବିଶେଷଜ୍ଞଙ୍କ ମତରେ ବହୁତ ଅଧିକ ଓ ଚିନ୍ତାଜନକ ନୁହେଁ । ଏସବୁ ସତ୍ତ୍ୱେ ସରକାର ନିଜ ପିଠି ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି । ଲୋକଙ୍କ ଠାରୁ ନୁହେଁ, ଏ ସରକାର ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଁ ବ୍ୟଗ୍ର ଅଛନ୍ତି ବୋଲି ଡଃ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ବିଜୁ ଜନତା ଦଳ ଦାବି କରୁଛି ଯେ, ବାତ୍ୟା ଦାନା ଉପରେ ରାଜ୍ୟ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ଯେଉଁଥିରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଓ କେତେ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କେଉଁ ଆଶ୍ରୟସ୍ଥଳରେ କେତେ ଲୋକଙ୍କୁ ରଖାଯାଇଥିଲା ଇତ୍ୟାଦିର ତଥ୍ୟ ପ୍ରଦାନ କରନ୍ତୁ ବୋଲି ଡଃ ସାମନ୍ତସିଂହାର କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ, ରାଜ୍ୟରେ ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ହୋଇଥିଲା । ରାଜ୍ୟରେ ଓଡ୍ରାଫ ଗଠନ ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ କରାଯାଇଥିଲା । ୨୦୦୦ ମସିହାରେ, ରାଜ୍ୟରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ନଥିଲା । ଏହି ଆଶ୍ରୟସ୍ଥଳ ଗୁଡିକର ପୁନଃରୁଦ୍ଧାର ସହିତ ନୂତନ ଓ ଅତ୍ୟାଧୁନିକ ଆଶ୍ରୟସ୍ଥଳମାନ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ନିର୍ମାଣ କରାଯାଇଥିଲା । ୨୦୨୪ ମସିହା ବେଳକୁ ରାଜ୍ୟରେ ୯୦୦ରୁ ଅଧିକ ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅନୂନ୍ୟ ୪୫୦ଟି ଆଶ୍ରୟ ସ୍ଥଳରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିଲା । ସେହିପରି, ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ବାତ୍ୟାର ପୂର୍ବାନୁମାନ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥିଲା । ତାଛଡା, ବାତ୍ୟା ପରିଚାଳନା ପାଇଁ ଆବଶ୍ୟକ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ସଠିକ ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବାତ୍ୟାର ସଠିକ ମୁକାବିଲା ଓ ପରିଚାଳନା ପାଇଁ ଏକ ଏସଓପି ସ୍ଥିର କରାଯାଇଥିଲା । ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବ୍ୟବସ୍ଥା ଯେ କୌଣସି ବଡ଼ ବାତ୍ୟାକୁ ମୁକାବିଲା କରିବା ପାଇଁ ସକ୍ଷମ, ଯାହା ଅତୀତରେ ଅନେକ ବାତ୍ୟା ସମୟରେ ପ୍ରମାଣିତ ହୋଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ସଫଳ ବାତ୍ୟା ପରିଚାଳନା ପାଇଁ ଓଡିଶା ରାଜ୍ୟ ତଥା ଦେଶ ବାହାରେ, ଏପରିକି ମିଳିତ ଜାତିସଙ୍ଘ ଦ୍ୱାରା ପ୍ରଶଂସିତ ହୋଇଛି । ଏଭଳି ଏକ ସୁଦୃଢ଼ ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜ୍ୟ ବିଜେପି ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ବାତ୍ୟା ଦାନାର ପରିଚାଳନାରେ ବିଫଳ ହେବା ଦୁଃଖଦାୟକ ବୋଲି ଡଃ ସାମନ୍ତସିଂହାର କହିଥିଲେ ।
ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ରିଭ୍ୟୁ କରିବା ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ, କିନ୍ତୁ ଏହି ରିଭ୍ୟୁ ସମୟରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ ନକରି କେବଳ ଦଳୀୟ ଲୋକଙ୍କୁ ଧରି ରିଭ୍ୟୁ କରୁଥିବା ଦେଖାଯାଇଥିଲା । ବାଲେଶ୍ୱରର ଭୋଗରାଇ ଓ କେନ୍ଦ୍ରାପଡ଼ାରେ ରିଭ୍ୟୁ ସମୟରେ ଏପରି ହୋଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବୋଲି ଡଃ ସାମନ୍ତସିଂହାର କହିଥିଲେ ।