କର୍ମ ହିଁ ଭଗବାନ

ପ୍ରମାଣ କରି ଦେଖାଇଲେ ମାନସ

କେନ୍ଦ୍ରାପଡ଼ା, ୨୬/୧୦: କର୍ମ ହିଁ ଭଗବାନ। କର୍ମ ଆଗରେ ସବୁ କିଛି ତୁଚ୍ଛ। ଏହାକୁ ସାବ୍ୟସ୍ତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଗରୀପଡା ଅଂଚଳର ମାନସ ମଲ୍ଲିକ। ବାତ୍ୟା ‘ଦାନା’ର ତାଣ୍ଡବ କର୍ମ ପଥେ ଆଗେଇ ଯିବାକୁ ରୋକି ପାରିଲାନି ଜଣେ କର୍ମଯୋଗୀଙ୍କୁ। ମାନସ ପେସାରେ ଜଣେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର। ରୋଗୀଙ୍କୁ ଆମ୍ବୁଲାନ୍ସରେ ବୋହିବା ବେଳେ ଭୁଲି ଯାଆନ୍ତି ସବୁ କିଛି। ସର୍ବଦା ଥାଆନ୍ତି କର୍ମତତ୍ପର।

ବାତ୍ୟା ‘ଦାନା’ ସମୟରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଡାକ୍ତର ଓ ଉଦ୍ଧାରକାରୀ ଦଳ ସଭିଏଁ ମିଳିତ ଭାବେ କାର୍ଯ୍ୟରେ ଲାଗିଥିଲେ। ସେଥିରୁ ବର୍ତ୍ତି ନଥିଲେ ମାନସ। ବାତ୍ୟା ବେଳେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ଯାଇଥିଲେ ମାନସ। ହେଲେ ରାଜନଗରରେ ବାତ୍ୟା ଯୋଗୁଁ ପବନ ହୋଇ ଗଛ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇ ଯାଇଥିଲା। ସେତେବେଳେ ମାନସ ପଛକୁ ନ ଫେରି ରୋଗୀଙ୍କ ଘରକୁ ଯାଇ ତାଙ୍କ ଘରୁ ତାଙ୍କୁ ନିଜ ହାତରେ ଧରି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ। ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ନେଇ ପହଞ୍ଚାଇଥିଲେ। ତେବେ ଉଚିତ୍ ସମୟରେ ମାନସଙ୍କ ଉପସ୍ଥିତ ବୁଦ୍ଧି ଓ ଉଦାର ମନୋଭାବ ଯୋଗୁଁ ଜଣେ ଲୋକର ଜୀବନ ବଞ୍ଚି ପାରିଛି। ସେଥିପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମାନସଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଛନ୍ତି।