ସାଇବର ଠକେଇରୁ ବର୍ତ୍ତିବାକୁ ଚାହୁଁଛନ୍ତି କି?

'ମନ୍ କି ବାତ୍'ର ୧୧୫ତମ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆପଣାନ୍ତୁ ମୋଦିଙ୍କ ୩ ସୂତ୍ର

ନୂଆଦିଲ୍ଲୀ, ୨୭/୧୦: ‘ମନ୍ କି ବାତ୍’ର ୧୧୫ତମ ସଂସ୍କରଣକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଡିଜିଟାଲ୍ ଗିରଫ’ ଠକେଇ ବିରୋଧରେ ଲୋକଙ୍କୁ ସତର୍କ କରାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତଦନ୍ତକାରୀ ଏଜେନ୍ସିମାନେ ରାଜ୍ୟମାନଙ୍କ ସହ ମିଶି ଏହି ସମସ୍ୟାର ସମାଧାନ ପାଇଁ କାମ କରୁଛନ୍ତି। କିନ୍ତୁ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ସଚେତନତା ନିହାତି ଜରୁରୀ। ଡିଜିଟାଲ ଗିରଫ ଠକେଇରୁ ସାବଧାନ ରୁହନ୍ତୁ। ଆଇନ ଅନୁଯାୟୀ ଡିଜିଟାଲ ଗିରଫ ଭଳି ବ୍ୟବସ୍ଥା ନାହିଁ। ଏଭଳି କିଛି ତଦନ୍ତ ପାଇଁ କୌଣସି ସରକାରୀ ଏଜେନ୍ସି ଫୋନ୍ କିମ୍ବା ଭିଡିଓ କଲ୍ କରି ପାରିବେ ନାହିଁ।

ସୁରକ୍ଷିତ ରହିବା ପାଇଁ ୩ଟି ପଦକ୍ଷେପ ଆପଣାନ୍ତୁ: ଅଟକନ୍ତୁ, ଚିନ୍ତା କରନ୍ତୁ, ଆକ୍ସନ ନିଅନ୍ତୁ। ଏହି ଭଳି କଲ୍ ଆସିଲେ ପ୍ରଥମେ ଶାନ୍ତ ରୁହନ୍ତୁ, ବିଲକୁଲ ଭୟଭୀତ ହୁଅନ୍ତୁ ନାହିଁ। ଯଦି ସମ୍ଭବ ତେବେ ଏକ ସ୍କ୍ରିନ୍ ରେକର୍ଡିଂ କରି ବାର୍ତ୍ତାଳପ ରେକର୍ଡ଼ କରନ୍ତୁ। ଦ୍ୱିତୀୟରେ ମନେରଖନ୍ତୁ ଯେ କୌଣସି ସରକାରୀ ଏଜେନ୍ସି ଅନଲାଇନରେ ଧମକ ଦିଏ ନାହିଁ, ଏଥି ପ୍ରତି ବିଚାର କରନ୍ତୁ। ତୃତୀୟରେ ୧୯୩୦ରେ ଡାଏଲ କରି ଜାତୀୟ ସାଇବର ହେଲ୍ପଲାଇନ ସହ ଯୋଗାଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଭଳି ଅପରାଧ ସମ୍ପର୍କରେ ପୁଲିସକୁ ସୂଚନା ଦିଅନ୍ତୁ।

ଠକମାନେ ପୁଲିସ, ସିବିଆଇ, ନାର୍କୋଟିକ୍ସ ଏବଂ ବେଳେବେଳେ ଆରବିଆଇ ଅଧିକାରୀ ବୋଲି ପରିଚୟ ଦେଇଥାନ୍ତି। ଏଭଳି ବିଭିନ୍ନ ଲେବଲ୍ ବ୍ୟବହାର କରି ସେମାନେ ବହୁତ ଆତ୍ମବିଶ୍ୱାସର ସହ ନକଲି ଅଫିସର ବୋଲି କହୁଛନ୍ତି। ସାଇବର ଦୁର୍ନୀତି ବିରୋଧରେ ଲଢ଼େଇରେ ସାମିଲ ହେବାକୁ ସ୍କୁଲ ଓ କଲେଜଗୁଡ଼ିକରେ ଅଭିଯାନ ଆୟୋଜନ କରାଯାଉ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।