ପ୍ରତାପ ଜେନାଙ୍କୁ ଶିଳ୍ପମନ୍ତ୍ରୀଙ୍କ ଜବାବ

ବିଜେଡି ସମୟରେ ଫେରି ଯାଇଥିବା କମ୍ପାନୀ ଏବେ ଓଡ଼ିଶା ମୁହାଁ

ଭୁବନେଶ୍ବର, ୦୪/୧୧: ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ ପ୍ଲାଣ୍ଟକୁ ନେଇ ମୁହାଁମୁହିଁ ହୋଇଛି ବିଜେଡ଼ି ଓ ବିଜେପି। ଆନ୍ଧ୍ର ପ୍ରଦେଶର ଅଙ୍କାପାଲି ଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗୋଟିଏ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି କମ୍ପାନୀ ତରଫରୁ ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜୁ ଜନତା ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଶିଳ୍ପ ସଂସ୍ଥା ରାଜ୍ୟରେ ନିବେଶ କରିବାକୁ ଓହରି ଯାଉଛି। ଶିଳ୍ପ ଅନୁଷ୍ଠାନ ଗୁଡିକ ରାଜ୍ୟ ସରକାରଙ୍କ ଉପରେ ଭରସା କରିପାରୁ ନାହାନ୍ତି ବୋଲି ଶ୍ରୀ ଜେନା କହିଥିଲେ।

ଶ୍ରୀ ଜେନାଙ୍କ ଅଭିଯୋଗକୁ ଖଣ୍ଡନ କରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ବିଜେଡି ପ୍ରସ୍ତାବିତ ୨୪ ଏମଟିପିଏ ଇସ୍ପାତ କାରଖାନା ଓଡ଼ିଶାର କେନ୍ଦ୍ରାପଡ଼ାରୁ ଆନ୍ଧ୍ରପ୍ରଦେଶକୁ ଯିବ ନାହିଁ। ବିଜେଡିର ନେତାମାନେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆର୍ସେଲର ମିତ୍ତଲ କେବଳ ଭାରତ ରେ ନୁହେଁ ବରଂ ବିଶ୍ୱରେ ଏକ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ। କମ୍ପାନୀର ବିଭିନ୍ନ ଦେଶରେ ଅନେକ ଇସ୍ପାତ କାରଖାନା ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଅଧିକ କାରଖାନା ସ୍ଥାପନ କରିବ। ଓଡ଼ିଶା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ଗୁଜରାଟର ହଜିରାରେ ଏକ ମେଗା ଇସ୍ପାତ କାରଖାନା ସ୍ଥାପନ କରିବା ବେଳେ ବିଜେଡି ନେତାମାନେ କାହିଁକି ଚୁପ୍ ରହିଥିଲେ ବୋଲି ପ୍ରଶ୍ନ କହିଛନ୍ତି ଶ୍ରୀ ସ୍ବାଇଁ। ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ନ ହୋଇ ଅନ୍ୟ କେଉଁଠି ସ୍ଥାପନା ହେବାର କୌଣସି ସମ୍ଭାବନା ନାହିଁ। ଆମେ କମ୍ପାନୀର ଅଧିକାରୀଙ୍କ ସହ ଦୁଇଥର ସମୀକ୍ଷା ବୈଠକ କରିସାରିଛ। କମ୍ପାନିର ପ୍ରାୟ ୨୦୦ ଭାରତୀୟ ଓ ଜାପାନ କର୍ମଚାରୀ ଓଡ଼ିଶାରେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି। ପୂର୍ବ ସରକାର ଥିବା ସମୟରେ କାର୍ଯ୍ୟ ଧିମେଇ ଥିବା ବେଳେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ବିଜେଡି ସମୟରେ ମୁହଁ ଫେରାଇ ନେଇଥିବା କମ୍ପାନୀ ଏବେ ଓଡ଼ିଶା ମୁହାଁ ହେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।