ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ବର, ୦୫/୧୧: କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣାରେ ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ସମେତ ବହୁ ବରିଷ୍ଠ ନେତା ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଖାଦ୍ୟ ସୁରକ୍ଷା ଯୋଜନାରେ କେହି ଭୋକିଲା ରହିବେ ନାହିଁ ବୋଲି ସରକାର ଦାବି କରୁଥିବା ବେଳେ କନ୍ଧମାଳ ଘଟଣା ସମଗ୍ର ରାଜ୍ୟ ପାଇଁ ଅପମାନ ବୋଲି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ରାମଚନ୍ଦ୍ର କାଡାମ କହିଛନ୍ତି। ରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଏହି ଘଟଣାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ କାଡାମ କହିଛନ୍ତି।