ସମ୍ବଲପୁରରେ “ଦୀପାବଳି ବନ୍ଧୁମିଳନ” କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
• ରାଜ୍ୟ ସରକାର ସମ୍ବଲପୁରକୁ ଏକ ଅଗ୍ରଣୀ ସହର ରୂପେ ଗଢି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ। • ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଓ୍ୱାଟର ପ୍ଲାଣ୍ଟ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ।
ସମ୍ବଲପୁରକୁ ଆଧୁନିକ ସହର କରିବା: ଧର୍ମେନ୍ଦ୍ର ପ୍ରଧାନ
କ୍ଷେତରାଜପୁର/ସମ୍ବଲପୁର, ୦୭/୧୧: ସମ୍ବଲପୁର ସହରରେ ସ୍ୱଚ୍ଛତା, ପାନୀୟ ଜଳ, ଡ୍ରେନେଜ, ସ୍ୱାସ୍ଥ୍ୟସେବା, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟାର ସମାଧାନ ସହ ରେଳ ଷ୍ଟେସନ ଆଦିର ଉନ୍ନତି ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରି ଦେଇଛନ୍ତି । ସମ୍ବଲପୁରକୁ ଏକ ଅତ୍ୟାଧୁନିକ ସହର ରୂପେ ଗଢି ତୋଳିବା ଆମର ଦାୟିତ୍ୱ ବୋଲି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଆଜି ସମ୍ବଲପୁର ଗସ୍ତ କାଳରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ସହ କ୍ଷେତରାଜପୁର ଠାରେ ‘କ୍ଷେତରାଜପୁର ନାଗରିକ ମଞ୍ଚ’ ପକ୍ଷରୁ ଆୟୋଜିତ ଦୀପାବଳି ବନ୍ଧୁମିଳନ, ଛଠ୍ ପୂଜା ଏବଂ ଅଁଳା ନବମୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ସମ୍ବଲପୁରକୁ ଏକ ଅଗ୍ରଣୀ ସହର ରୂପେ ଗଢି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଓ୍ୱାଟର ପ୍ଲାଣ୍ଟ୍ ତଥା ବୃହତ୍ତର ପାନୀୟ ଜଳ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଡିପିଆର୍ କାମ ପାଇଁ ‘ଓ୍ୱାଟକୋ ଓଡ଼ିଶା’ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହ ଏ ନେଇ ଆଲୋଚନା ସରିଛି ।
ଏହାବ୍ୟତିତ ସହରରେ ଡ୍ରେନେଜ, ସ୍ୱେରେଜ, ରାସ୍ତା ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ ଓ ସ୍ୱଚ୍ଛତା ସମସ୍ୟାର ସମାଧାନ ପାଇଁ ନୂଆ କଳ୍ପନା କରାଯାଇଛି । ସମ୍ବଲପୁରରେ ଏକ ରିଙ୍ଗ ରୋଡ କରାଯିବାର ଯୋଜନା ହୋଇଛି । ସହରରେ ଥିବା ତିନି ରେଳ ଷ୍ଟେସନ ଯଥା ସମ୍ବଲପୁର ରୋଡ୍ ରେଳ ଷ୍ଟେସନ, ହୀରାକୁଦ ଷ୍ଟେସନ ଓ ସମ୍ବଲପୁର ସିଟି ରେଳ ଷ୍ଟେସନର ଉନ୍ନତିକରଣ କରିବା ନେଇ ଭାରତ ସରକାର କାମ ଆରମ୍ଭ ଦେଇଛନ୍ତି । ଏହି ସବୁ କାର୍ଯ୍ୟ ଦ୍ୱାରା ସହର ସ୍ୱଚ୍ଛ ଓ ସୁନ୍ଦର ହେବା ସହ ସମ୍ପ୍ରସାରଣ ହେବ ବୋଲି ସେ କହିଛନ୍ତି ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର କ୍ଷେତରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ଓ ରାଣୀ ସତୀ ଦାଦୀ ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ ।