ସମ୍ବଲପୁରରେ ଛଠ୍ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

• ଛଠ୍ ପୂଜାର ଶୁଭେଚ୍ଛା ଜଣାଇବା ସହ ସୂର୍ଯ୍ୟ ଦେବତାଙ୍କ ପୂଜା କଲେ । • ସମ୍ବଲପୁରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କାର୍ଯ୍ୟ କରିବାକୁ ଦେଲେ ପରାମର୍ଶ ।

ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ପବିତ୍ର ପର୍ବ ‘ଛଠ୍’: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୦୭/୧୧: ଛଠ୍ ପୂଜା ଜନସାଧାରଣଙ୍କ ଆସ୍ଥାର ପବିତ୍ର ପର୍ବ । ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ମହାନ ପର୍ବ ବୋଲି ଗୁରୁବାର ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୃଥକ ଛଠ୍ ପୂଜା ସମାରୋହରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଛଠ୍ ପୂଜାର ଶୁଭେଚ୍ଛା ଜଣାଇବା ସହ ସୂର୍ଯ୍ୟ ଦେବତାଙ୍କ ପୂଜା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଐତିହାସିକ ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ଛଠ୍ ପୂଜାରେ ସାମିଲ ହେବା ମୋର ସୌଭାଗ୍ୟ । ଏହି ପୂଜା ଆମର ଭାରତୀୟ ସଂସ୍କୃତିର ଅନନ୍ୟ ପରମ୍ପରା । ନାଗରିକମାନେ ଉତ୍ସାହର ସହ ଏହାକୁ ପାଳନ କରନ୍ତି । ସେ ଆହୁରି କହିଛନ୍ତି ଯେ ଆମ ଭାରତୀୟ ପରମ୍ପରାରେ ପର୍ବର ମହତ୍ୱ ଅଧିକ । ଆମର ପର୍ବ ଗୁଡ଼ିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାର ମହତ ବାର୍ତ୍ତା ଦେଉଅଛି । ଏହି ବିଚାରରେ ଆମେ ସମସ୍ତେ ସରକାରୀ ବ୍ୟବସ୍ଥା ବ୍ୟଅଗତିତ ସମାଜର ସହଯୋଗରେ ସମ୍ବଲପୁରକୁ  ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ ।

ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ଅଞ୍ଚଳର ସଂସ୍କୃତି ଅନନ୍ୟ । ଏଠାରେ ତ୍ୟାଗ, ସଂଘର୍ଷ ଓ ଉତ୍କଣ୍ଠା ମନୋବୃତ୍ତି ସାମାଜିକ ଜୀବନରେ ପ୍ରତିଫଳିତ ହୋଇଛି । ମା’ ସମଲେଶ୍ୱରୀଙ୍କ ଭୂମି ସମ୍ବଲପୁରରେ ବିଭିନ୍ନ ଅଞ୍ଚଳର ଲୋକମାନେ ବସବାସ କରନ୍ତି । ଏଥିପାଇଁ ସମ୍ବଲପୁରର ଏକ ବିଶେଷତା ରହିଛି । ସମାଜରେ ଭାଇଚାରା ବଢୁ, ଏହା ମହାପ୍ରଭୁ, ମା’ ସମଲେଶ୍ୱରୀ, ଛଠି ମା’ଙ୍କ ପାଖରେ କାମନା କରୁଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।