ନୟାଗଡ଼, ୦୮/୧୧: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ନୟାଗଡ଼ର ୫୭ ନମ୍ବର ଏନ୍ଏଚ୍ ନିକଟ ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଲୋକମାନଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଫୁଲବାଣୀର ରାଇକିଆରୁ ଭୁବନେଶ୍ୱର ଯାଉଥିଲା ବସ୍। ଏଥିରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ବସଟି ହଠାତ୍ ଦୋହଲିଥିଲା। ପରେ ବସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ପୋଲିସ୍ ପହଞ୍ଚି ତଦନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।