ଦୃଷ୍ଟିଶକ୍ତି ପ୍ରଦାୟିନୀ ମା’ ଦିଗବାରୁଣୀ: ଯେଉଁଠି ଅନ୍ଧ ପାଏ ଚକ୍ଷୁ
ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଦିଗବାରେଣୀଙ୍କ ଆବିର୍ଭାବ ସମ୍ପର୍କରେ ପଢନ୍ତୁ।
ପୀଠରେ ଜାଗର ଯାତ୍ରାକୁ ନେଇ ରହିଛି ଅଲୌକିକ କାହାଣୀ
ଜଗତସିଂହପୁର, ୧୨/୧୧: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗଇଠିପୁରରେ ରହିଛି ଅଧିଷ୍ଠାତ୍ରୀ ଦେବୀ ମାଆ ଦିଗବାରୁଣୀଙ୍କ ମନ୍ଦିର। ଯେଉଁଠି ମାଆଙ୍କୁ ପୂଜା କରିବା ଦ୍ଵାରା ଅନ୍ଧ ବି ଚକ୍ଷୁ ପାଏ। ଦିଗହରାଙ୍କୁ ଦିଗ ଦେଖାନ୍ତି ମାଆ ଦିଗବାରୁଣୀ। ମାଆଙ୍କ ସୃଷ୍ଟିର କୌଣସି ପୌରାଣିକ କାହାଣୀ ନାହିଁ।
ମନ୍ଦିରର ସେବାୟତ ତଥା ପ୍ରତିଷ୍ଠାତା ରାମଚନ୍ଦ୍ର ପତିଙ୍କ ପରବର୍ତ୍ତୀ ପିଢ଼ି ଶ୍ରୀଯୁକ୍ତ ବୈକୁଣ୍ଠନାଥ ପତି ଅତି ସୁନ୍ଦର ଭାବରେ ଏହି ପୀଠକୁ ନେଇ ବ୍ୟାଖ୍ୟା କରିଛନ୍ତି। ସେ କୁହନ୍ତି ଯେ, କିମ୍ବଦନ୍ତୀ ଅନୁସାରେ, ଏକଦା ଏହା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ଥିଲା। ଜମିଦାରୀ ଶାସନ ସମୟରେ ନିକଟସ୍ଥ କୌଣସି ଗ୍ରାମର ଜଣେ ଜମିଦାରଙ୍କ ଏକମାତ୍ର କନ୍ୟା ଥିଲା ବାରୁଣୀ। ଜମିଦାରୀ ଜଣକ ଏତେ ଅହଙ୍କାରୀ ଓ ଗର୍ବୀ ଥିଲେ ଯେ, ସବୁବେଳେ ପ୍ରଜାମାନଙ୍କୁ ଶୋଷଣ କରୁଥିଲେ। ତେଣୁ ତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ପ୍ରଭୁ ଦିଗମ୍ବର ତାଙ୍କ କୋଳରେ ଏକ କନ୍ୟା ସନ୍ତାନ ଜନ୍ମ ପାଇଁ ଆଶୀର୍ବାଦ ଦେଇଥିଲେ। ଯାହାଙ୍କ ନାଁ ଥିଲା ବାରୁଣୀ। କେମିତି ଜମିଦାର ଜଣକ ସୁଧାର ବାଟକୁ ଆସିବେ, ସେଥିପାଇଁ ଶୈଶବ କାଳରୁ ବାରୁଣୀକୁ ଦୃଷ୍ଟି ଶକ୍ତି ଦେଇ ନଥିଲେ ଓ ତାଙ୍କୁ ନେତ୍ର ହୀନ କରି ଦେଇଥିଲେ ପ୍ରଭୁ ଦିଗମ୍ବର। ସେ ସମୟରେ ବହୁ ଚେଷ୍ଟା କରିବା ସତ୍ତ୍ୱେ ଜମିଦାର ଜଣକ ତାଙ୍କ କନ୍ୟାକୁ ଦୃଷ୍ଟି ଶକ୍ତି ପ୍ରଦାନରେ ବିଫଳ ହୋଇଥିଲେ।
ଦିନେ ବାରୁଣୀକୁ ୮ ବର୍ଷ ବୟସ ହୋଇଥିବା ବେଳେ ସେ ଶୋଇବା ସମୟରେ ଏକ ସ୍ୱପ୍ନ ଦେଖିଥିଲା। ଯେଉଁଥିରେ ପ୍ରଭୁ ଶିବ ଶଙ୍କର ଆସି କହୁଛନ୍ତି,ବାରୁଣୀ ତୋତେ କେହି ଭଲ କରି ପାରିବେ ନାହିଁ। ତୁମ ଘରର ଉତ୍ତର ଦିଗରେ ଯେଉଁ ପାଇକା ନଦୀ ବହି ଯାଇଛି, ସେହି ପାଇକା ନଦୀ ପାର୍ଶ୍ଵରେ ଯେଉଁ ଘଞ୍ଚ ଜଙ୍ଗଲ ରହିଛି, ତୁ ସେହି ଜଙ୍ଗଲ ଭିତରେ ସୂର୍ଯ୍ୟଙ୍କୁ ଉପାସନା କର। ବାରୁଣୀ ଏ ସମ୍ପର୍କରେ ଅନେକ ଥର ତା ଜମିଦାର ବାବୁଙ୍କୁ କହିଛି। ହେଲେ, ଜମିଦାର ତା କଥାକୁ ହାସ୍ୟରେ ଉଡ଼ାଇ ଦେଇଛନ୍ତି।
ଦିନେ ବାରୁଣୀ ଅନ୍ୟ ଉପାୟ ନ ପାଇ ଜମିଦାରଙ୍କୁ କହିଲା, ବାପା ଯଦି ତୁମେ ମୋତେ ଜଙ୍ଗଲ ଭିତରକୁ ତପସ୍ୟା କରିବାକୁ ନ ଛାଡ଼, ତାହାଲେ କେତେ ଦିନ ଏହିପରି ଭାବେ ମୋର ସେବା କରିବ। କିନ୍ତୁ ଜମିଦାର ରାଜି ନ ହେବାରୁ ବାରୁଣୀ ସେହି ଜଙ୍ଗଲ ଭିତରକୁ ଲୁଚି ପଳାଇ ଯାଇଥିଲେ। ସେହି ଜଙ୍ଗଲର ଏକ ସ୍ଥାନରେ ବସି ସୂର୍ଯ୍ୟଙ୍କୁ ଉପାସନା କରୁଥିଲେ ବାରୁଣୀ। ବାରୁଣୀଙ୍କ ଉପାସନା ଦେଖି ସୂର୍ଯ୍ୟ ସନ୍ତୁଷ୍ଟ ହୋଇ ବାରୁଣୀଙ୍କୁ ଦୃଷ୍ଟି ଶକ୍ତି ପ୍ରଦାନ କରିଥିଲେ। କିନ୍ତୁ ଏଥିପାଇଁ ସୂର୍ଯ୍ୟ ଏକ ସର୍ତ୍ତ ରଖିଥିଲେ ଯେ, ତୁ ଆଉ କେବେ ଘରକୁ ଫେରିବୁ ନାହିଁ ଏବଂ ମୁଁ ଯେପରି ତୋତେ ଦୃଷ୍ଟି ଶକ୍ତି ପ୍ରଦାନ କଲି ,ତୁ ସେହିପରି ଯେଉଁମାନେ ଦିଗହରା ହେଉଛନ୍ତି ସେମାନଙ୍କୁ ଦୃଷ୍ଟି ଶକ୍ତି ପ୍ରଦାନ କରିବୁ।
କିଛି ଦିନ ଧରି ତପସ୍ୟା କରିବା ପରେ ରାମଚନ୍ଦ୍ର ପତି ନାମକ ଜଣେ ବ୍ୟକ୍ତି ଯିଏ କି ଦିଗବାରେଣୀ ମନ୍ଦିରର ପ୍ରତିଷ୍ଠାତା ଥିଲେ, ସେ ସେହି ସ୍ଥାନ ଦେଇ ଯିବା ବେଳେ ଦେଖିଲେ କେହି ଜଣେ ବସିଛି। କିନ୍ତୁ ଏହାର କୌଣସି ସନ୍ଧାନ ପାଇଲେ ନାହିଁ। ସବୁବେଳେ ସେହି ସ୍ଥାନ ଦେଇ ଯିବା ବେଳେ ସେ ଲକ୍ଷ୍ୟ କରନ୍ତି। ଦିନେ ଲକ୍ଷ୍ୟ କଲେ ଯେ, ସେଠାରେ କିଛି ବସ୍ତୁ କ୍ରମଶଃ ପଥର ହୋଇଯାଉଛି।
ଏହାକୁ ଲକ୍ଷ୍ୟ କରିବା ପରେ ଏ ବିଷୟରେ ଅଧିକ ଜାଣିବା ପାଇଁ ଦିନେ ସେ ତାଙ୍କ ଦୁଇ ପୁଅ ରତ୍ନାକର ପତି ଓ ଅନନ୍ତ ପତିଙ୍କୁ ଡାକି ଦେଖାଇଥିଲେ। କିନ୍ତୁ ପରେ ସେମାନେ ସ୍ୱପ୍ନାଦେଶ ପାଇଲେ ଯେ, ଏ ବିଷୟରେ ଅଧିକ ଚିନ୍ତା କର ନାହିଁ। ମୁଁ ମାଆ ଭଗବତୀ ଯିଏ ଦୁର୍ଗାଙ୍କର ଏକ ଅଂଶବିଶେଷ। ମୁଁ ଏଠାକୁ ଚକ୍ଷୁ ରୋଗ ଭଲ କରିବା ପାଇଁଁ ଆସିଛି। ସେବେ ଠାରୁ ମାଆ ଦିଗବାରୁଣୀଙ୍କୁ ସେଠାରେ ମନ୍ଦିର ସ୍ଥାପନା କରି ପୂଜାର୍ଚ୍ଚନା କରାଯାଏ।
ଏହି ଦିଗବାରୁଣୀ ପୀଠରେ ଜାଗର ଯାତ୍ରା ଅତି ଧୁମଧାମରେ ହୁଏ। ଜାଗର ଯାତ୍ରାକୁ ନେଇ ରହିଛି ଏକ ରୋଚକ କାହାଣୀ। ବହୁ ପୂର୍ବରୁ ସ୍ଥାନୀୟ ଏକ ଗାଆଁ ଦାଇଁଲୋରେ ଥିବା ଏକ ଶିବ ମନ୍ଦିରରେ ବେଶ ଜାକଜମକରେ ଜାଗର ଯାତ୍ରା ହୁଏ। ଲୋକମାନେ ମଶାଲ ଧରି ଜାଗର କରିବାକୁ ଯାଆନ୍ତି। ଦିନେ ଏକ ପାଖ ଗାଁ ନବୀନବାଗର ଜଣେ ବ୍ୟକ୍ତି ମଶାଲ ଧରି ଶିବରାତ୍ରି ଦିନ ଏକ ଗହୀରା ବାଟ ଦେଇ ଫେରିବା ବେଳେ ଗୋଟିଏ ୮ରୁ ୯ ବର୍ଷ ଝିଅଟି ସେହି ଗହୀର ମଝିରେ କାନ୍ଦୁଛି। ସେହି ସମୟରେ ବ୍ୟକ୍ତି ଜଣକ ଝିଅଟିକୁ କାନ୍ଦିବାର କାରଣ ପଚାରିବାରୁ ସେହି ଛୋଟ ଝିଅଟି କହିଲା, ମୁଁ ଜାଗର ଯାତ୍ରାକୁ ଯାଇଥିଲି ହେଲେ ବାପା କୁଆଡେ଼ ପଳାଇଲେ ପାଇଲି ନାହିଁଁ। ତୁମେ ମୋତେ ଟିକେ ନେଇ ଚାଲ। ତାପରେ ସେହି ବ୍ୟକ୍ତି ଜଣକ ଝିଅଟିକୁ କାନ୍ଧରେ ପକାଇ ଏହି ଦିଗବାରୁଣୀ ପୀଠ ଦେଇ ଯିବା ସମୟରେ ସେହି ଝିଅଟି କାନ୍ଧରୁ ଅଲୌକିକ ଭାବରେ ଏକ ବିଜୁଳି ଆଲୋକ ଭଳି ପଥର ସହ ଯାଇ ମିଶି ଯାଉଛି। ଏହା ପରେ ବ୍ୟକ୍ତି ଜଣକ ଘରକୁ ଯିବା ପରେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ, ଅଧିକ ବିଚଳିତ ନ ହୋଇ ମୁଁ ଏହି ପଥର ଭିତରେ ରହିଛି ବୋଲି ତୁ ରାମଚନ୍ଦ୍ର ପତିଙ୍କୁ ଜଣାଇଦେ। ଏହା ପରଠାରୁ ଏହି ପୀଠରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି।
ଏହି ପୀଠର ଏକ ବିଶେଷତ୍ଵ ହେଉଛି ଏଠାରେ ସୂର୍ଯ୍ୟଙ୍କର ଏକ ଗାଦି ସ୍ଥାପନ ହୋଇ ସେବେଠାରୁ ସୂର୍ଯ୍ୟଦେବଙ୍କ ପୂଜା କରାଯାଏ। ଏଠାରେ ପ୍ରତି ମାଘ ମାସରେ ଆହୁତି ଦିଆଯାଏ। ତେବେ ମନରେ ଭକ୍ତିଭାବ ଥିଲେ ହିଁ ମାଆ ଦିଗବାରୁଣୀଙ୍କ ପାଖକୁ ଆସିଲେ ସେ ସମସ୍ତ ପ୍ରକାରର ଚକ୍ଷୁ ରୋଗ ଭଲ କରନ୍ତି ବୋଲି ବିଶ୍ୱାସ ରହିଛି। ମା’ଙ୍କ ଉପାସନାରେ ମା’ଙ୍କ ପାଖରେ ସୁନା କିମ୍ବା ରୂପାର ଚକ୍ଷୁ ପ୍ରଦାନ କରାଯାଏ। କେବଳ ଜିଲ୍ଲା ଭିତରୁ ନୁହେଁ, ବରଂ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନଙ୍କ ଭିଡ଼ ଜମେ। ବିଶେଷକରି ବାହାର ରାଜ୍ୟର ବଡ଼ ବଡ଼ ଡ଼ାକ୍ତରଖାନାରୁ ନିରାଶ ହେବା ପରେ ଶେଷରେ ସାହାରା ପାଲଟିନ୍ତି ମାଆ ଦିଗବାରେଣୀ।
କିନ୍ତୁ ଏହି ଦୀଗବାରୁଣୀ ପୀଠଟି ଏତେ ବିଶ୍ୱାସ ଯୋଗ୍ୟ ଓ ଭକ୍ତିମୟ ପରିବେଶ ହୋଇଥିଲେ ମଧ୍ୟ ଆଜି ବି ଲୋକଲୋଚନଠୁ ଦୂରରେ ରହିଛି। ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହି ପୀଠଟି ଅବହେଳିତ ହୋଇ ରହିଛି। ସଚେତନତା ଅଭାବରୁ ଏହା ପ୍ରସିଦ୍ଧ ହୋଇପାରୁନାହିଁ। ସରକାର ଏଭଳି ଆଧ୍ୟାତ୍ମିକ ମନ୍ଦିରର ପ୍ରଚାର ପ୍ରସାର କରିବା ଦରକାର। ସରକାର ଯଦି ପ୍ରତ୍ୟେକ ମନ୍ଦିର ଭଳି ଏହି ପୀଠ ଉପରେ ଦୃଷ୍ଟି ଆକର୍ଷଣ କରନ୍ତେ, ତେବେ ଏହି ମନ୍ଦିରର ଉନ୍ନତି ହେବା ସହିତ ଜିଲ୍ଲା ପର୍ଯ୍ୟଟନ ଓ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବହୁ ଉନ୍ନତି ହୁଅନ୍ତା। ଏଠାରେ ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଭଳି ସମସ୍ତ ପ୍ରକାର ମାଙ୍ଗଳିକ କର୍ମ ହୋଇଥାଏ। ନିଃସନ୍ଦେହରେ ଓଡ଼ିଶାର ସଂସ୍କୃତି ବ୍ୟାପକ ଏବଂ ଏହାର ଏକ ଉଦାହରଣ ହେଉଛି ଏହି ମନ୍ଦିର ।
ଅନେକ ବର୍ଷ ପୂର୍ବେ ଏହି ମନ୍ଦିରକୁ ଯିବା ପାଇଁ ଭଲ ରାସ୍ତା ନଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ବର୍ତ୍ତମାନ ଏହି ମନ୍ଦିରକୁ ଯିବା ଆସିବା ପାଇଁ ଭଲ ରାସ୍ତା ହୋଇଛି। ସେଠାରେ ଏକ ନୂତନ ପୋଲ ରହିଛି ଯାହା ଲଙ୍କାପଡା ସେତୁ ନାମରେ ପରିଚିତ।