ନୂଆଦିଲ୍ଲୀ, ୧୨/୧୧: କାଶ୍ମୀରର ଉପର ଅଞ୍ଚଳରେ ଚଳିତ ଶୀତ ଋତୁର ପ୍ରଥମ ତୁଷାରପାତ ହୋଇଥିବା ବେଳେ ତଳିଆ ଅଞ୍ଚଳରେ ବର୍ଷା ହୋଇଛି। ଯାହା ଫଳରେ ଉପତ୍ୟକାରେ ୩୦ ଦିନ ଧରି ଦେଖା ଦେଉଥିବା ଶୁଖିଲା ସମୟ ଶେଷ ହୋଇଛି।
କଶ୍ମୀରର ଜନବସତି ନଥିବା ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବା ଅଧିକାରୀମାନେ ଉଲ୍ଲେଖ କରିଛନ୍ତି। ବାରାମୁଲା ଜିଲ୍ଲାର ଗୁଲମାର୍ଗ ଅଞ୍ଚଳର ଆଫରୱତ ଏବଂ କୁପୱାଡା ଜିଲ୍ଲାର ସାଧନା ଟପ୍ ରେ ହାଲୁକା ତୁଷାରପାତ ରେକର୍ଡ କରାଯାଇଛି।
ଶ୍ରୀନଗର ଏବଂ ଉପତ୍ୟକାର ଅନ୍ୟ ତଳିଆ ଅଞ୍ଚଳରେ ଗତ ସୋମବାର ଅପରାହ୍ନରେ ବର୍ଷା ହୋଇଛି। ତୁଷାରପାତ ଓ ବର୍ଷାର ମିଶ୍ରଣ ଯୋଗୁଁ ଦିନର ତାପମାତ୍ରା ମଧ୍ୟ ଯଥେଷ୍ଟ ହ୍ରାସ ପାଇଥିଲା, ଯାହା କାଶ୍ମୀରରେ ଶୀତ ଆରମ୍ଭ ହେବାର ସଙ୍କେତ ଦେଇଛି। ଏହା ଦ୍ୱାରା ଶୀତ କାଳୀନ ପର୍ଯ୍ୟଟନ ଋତୁ ଆରମ୍ଭ ହେବାର ସଙ୍କେତ ହୋଇଛି। ପର୍ଯ୍ୟଟକମାନଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉଛି କଶ୍ମୀର।
କଶ୍ମୀରରେ ଶୀତ ଋତୁ ସାଧାରଣତଃ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ରହିଥାଏ। ଡିସେମ୍ବର ଓ ଜାନୁଆରୀରେ ପ୍ରବଳ ବର୍ଷା ସହ ତୁଷାରପାତ ହୋଇଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶୀ ଆକୃଷ୍ଟ କରିଥାଏ।