ଭୁବନେଶ୍ୱର, ୧୧/୧୧: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ତାଗିଦ୍। ବାରମ୍ବାର ପଦୋନ୍ନତି କିମ୍ବା ବଦଳି ପାଇଁ ଚାପ ପକାଉଥିବା ଅଧିକାରୀଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଯେଉଁ ସରକାରୀ କର୍ମଚାରୀମାନେ ବଦଳି ଓ ପୋଷ୍ଟିଂ ପାଇଁ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ଚିଠିରେ କୁହାଯାଇଛି ଯେ, କିଛି ସରକାରୀ କର୍ମଚାରୀ ବାହ୍ୟ ପ୍ରଭାବ ପ୍ରୟୋଗ କରି ବିଭିନ୍ନ ପଦବୀରେ ବଦଳି ଓ ପୋଷ୍ଟିଂ କରିବାକୁ ଚାପ ପକାଉଛନ୍ତି ବୋଲି ସରକାରଙ୍କ ନଜରକୁ ଆସିଛି। ଏହା ଦ୍ୱାରା ସରକାରୀ କର୍ମଚାରୀ ଆଚରଣ ନିୟମ, ୧୯୫୯ର ନିୟମ ୨୩ର ସ୍ପଷ୍ଟ ଉଲ୍ଲଂଘନ ହେଉଛି।
ସାଧାରଣତଃ ପ୍ରଶାସନିକ ଆବଶ୍ୟକତା ଅନୁଯାୟୀ କର୍ମଚାରୀଙ୍କ ବଦଳି ଓ ପୋଷ୍ଟିଂ କରାଯାଇଥାଏ। ଯୋଗ୍ୟତାକୁ ବିଚାରକୁ ନେଇ ଅନ୍ୟତ୍ର ଅବସ୍ଥାପିତ କରାଯାଇଥାଏ। ଏହି ପ୍ରକ୍ରିୟାକୁ ଏଡ଼ାଇବାକୁ କୌଣସି ପ୍ରୟାସ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।