ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

‘ମିଥ୍ୟା ଖବର ପ୍ରସାରଣ ଗଣତନ୍ତ୍ର ପାଇଁ ବଡ଼ ‌ବିପଦ’

ନୂଆଦିଲ୍ଲୀ, ୧୭/୧୧: ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଦିଲ୍ଲୀରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ୪ଟି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ‌ ଆଲୋକପାତ କରିଛନ୍ତି। ଫେକ୍ ନ୍ୟୁଜ୍, ନିରପେକ୍ଷତା ଅଭାବ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ନ୍ୟାୟ ସଙ୍ଗତ କ୍ଷତିପୂରଣକୁ ମୁଖ୍ୟ ଚିନ୍ତାର ବିଷୟ ଭାବେ ଦର୍ଶାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡିକ ଅନଲାଇନରେ ପୋଷ୍ଟ କରୁଥିବା ସୂଚନା ଯାଞ୍ଚ କରନ୍ତି ନାହିଁ, ଯେଉଁଥିପାଇଁ ମିଥ୍ୟା ଓ ବିଭ୍ରାନ୍ତିକର ସୂଚନା ପ୍ରସାରଣ ହୁଏ। ମିଥ୍ୟା ଖବରର ପ୍ରସାର କେବଳ ଗଣମାଧ୍ୟମ ପାଇଁ ନୁହେଁ ବରଂ ଏହା ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ କାରଣ ଏହା ବିଶ୍ୱାସକୁ କ୍ଷୁଣ୍ଣ କରିଥାଏ। ଯେଉଁଠି କିଛି ପ୍ଲାଟଫର୍ମଗୁଡିକର ଉତ୍ପତ୍ତି ହୋଇଛି ସେହି ଦେଶଗୁଡିକରେ ମଧ୍ୟ ଏବେ ଏହାର ଅସ୍ତିତ୍ବ ନାହିଁ। ତେଣୁ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି।

ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ଧାରା ୭୯ ଅନୁଯାୟୀ, ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ବ୍ୟବହାରକାରୀମାନଙ୍କ ଦ୍ୱାରା ପୋଷ୍ଟ କରାଯାଉଥିବା କଣ୍ଟେଣ୍ଟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। କିନ୍ତୁ ‘ସେଫ୍ ହାର୍ବର’ ଧାରାକୁ ପରିବର୍ତ୍ତନ କରିବା ଦ୍ୱାରା ଏହି ପ୍ଲାଟଫର୍ମଗୁଡିକ ବ୍ୟବହାରକାରୀମାନଙ୍କ ଦ୍ୱାରା ପୋଷ୍ଟ କରାଯାଉଥିବା ବିଷୟବସ୍ତୁ ପାଇଁ ସିଧାସଳଖ ଉତ୍ତରଦାୟୀ ହେବେ।

ଅନ୍ୟପଟେ ଭାରତ ଭଳି ବିବିଧତା ଥିବା ଦେଶରେ ଭୁଲ ସୂଚନା ଏବଂ ଏଭଳି ନିରପେକ୍ଷତାର ଅଭାବ ସମାଜରେ ଗମ୍ଭୀର ଜନକ ପରିସ୍ଥିତି ସୃଷ୍ଟି କରେ। ଏଭଳି ଆଭିମୁଖ୍ୟ ଆମ ସମାଜ ପାଇଁ ଦାୟିତ୍ୱହୀନ ଓ ବିପଜ୍ଜନକ।

ଡିଜିଟାଲ ପ୍ଲାଟଫର୍ମ ଗୁଡିକ ବୃଦ୍ଧି ପାଉଥିବାରୁ ପାରମ୍ପରିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ ବିଷୟବସ୍ତୁ ଯୋଗୁଁ‌‌ ମୂଳ ନିର୍ମାତାଙ୍କ ଅଧିକାର କ୍ଷୁଣ୍ଣ ହେଉଛି। ସେମାନଙ୍କ କାମ ପାଇଁ ସେମାନଙ୍କୁ କ୍ଷତିପୂରଣ ଦିଆଯାଉନାହିଁ। ଏହା କେବଳ ଏକ ଅର୍ଥନୈତିକ ପ୍ରସଙ୍ଗ ନୁହେଁ; ଏହା ଏକ ନୈତିକ କଥା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।