ଅସ୍ତରଙ୍ଗ, ୧୭/୧୧(ଦର୍ଶନ ନ୍ୟୁଜ): ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ଗ୍ରାମର ସୂଚନା ଅଧିକାର କର୍ମୀ କାର୍ତ୍ତିକ କୁମାର ପରିଡା ତାଙ୍କର ଘର ନିକଟ ଛକ ନିକଟକୁ ଘର ପାଇଁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ସେହି ଗ୍ରାମର ରମେଶ ଭଟ୍ଟ ଏବଂ ଟୁଟୁନା ସ୍ୱାଇଁ କାର୍ତ୍ତିକଙ୍କୁ କଟୁରୀ ଓ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ସହ ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ସ୍ଥଳରେ କାର୍ତ୍ତିକଙ୍କର ମୁଣ୍ଡ ଫାଟି ରକ୍ତସ୍ରାବ ହେବାସହ ସେଠାରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଅସ୍ତରଙ୍ଗ ମେଡିକାଲ ପଠାଇ ଥିଲେ। ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାର୍ତ୍ତିକଙ୍କୁ ରେଫର କରିଥିଲେ। ଏନେଇ ଅସ୍ତରଙ୍ଗ ଥାନାରେ ଏକ ଅଭିଯୋଗ କରାଯାଥିଲା। ଘଟଣା ଘଟାଇବା ପରେ ରମେଶ ଭଟ୍ଟ ପୁରୀରେ ନିଜ ଶଶୁର ଘରେ ତାର ସହଯୋଗୀ ଟୁଟୁନା ସ୍ୱାଇଁ ସହ ଆତ୍ମଗୋପନ କରିଥିଲା। ଗଣମାଧ୍ୟମ ପ୍ରତିନିଧି ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ, ପୁରୀରେ ନିଜ ଶଶୁର ଘରେ ଆତ୍ମଗୋପନ କରିଥିବା ରମେଶ ଓ ତାର ସହଯୋଗୀ ଟୁଟୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିକୁ ନେଇ କାର୍ତ୍ତିକ ପରିଡା ସୂଚନା ଅଧିକାର ଆଇନ ଦ୍ୱାରା ତଥ୍ୟ ଲୋକ ଲୋଚନଙ୍କୁ ଆଣିବା ସହ ଦୁର୍ନୀତିଖୋରମାନଙ୍କ ଅସଲ ମୁଖା ସାମ୍ନାକୁ ଆଣିଥାନ୍ତି। ସେଥିପାଇଁ ଦୁର୍ନୀତି ଖୋର ନେତାଙ୍କ ପ୍ରରୋଚନାରେ ଏହି ଦୁଇଜଣ ବ୍ୟକ୍ତି ଏହିଭଳି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ଏହି ଘଟଣାକୁ ନେଇ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଏହାକୁ ନିନ୍ଦା କରିବା ସହ ବିଭିନ୍ନ ବୁଦ୍ଧିଜୀବୀ ଓ ସୂଚନା ଅଧିକାରୀ କର୍ମୀଙ୍କ ମହଲରେ ନିନ୍ଦା କରାଯାଇଛି।