ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ବର, ୨୬/୧୧: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଦୁଇ ଥର ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଆମ୍ବ ଟାକୁଆ ଖାଇ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ କରିଥିଲେ।
ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ କିଛି ସମୟ ପାଇଁ ଚାଲିବା ପରେ ଅପରାହ୍ନ ୧୨ଟା ୨୫ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। କିଛି ସମୟ ପରେ ପୁଣି ଥରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ପାଢ଼ୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଏହାବ୍ୟତୀତ ବିରୋଧୀ ଦଳ ବିଜୁ ଜନତା ଦଳ ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଶ୍ନକାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସାମ୍ବିଧାନିକ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ସମ୍ବିଧାନର ମୁଖବନ୍ଧରେ ରହିଥିବା ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ନ ହଟାଇ ରହିବା ଲାଗି ଦାବି କରିଥିଲେ ବିରୋଧୀ ଦଳ। ଏହାପରେ କଂଗ୍ରେସ ନେତାମାନେ ଆମ୍ବ ଟାକୁଆ ଖାଇ ହେଉଥିବା ମୃତ୍ୟୁ ଓ ଅନାହାର ଜନିତ ମୃତ୍ୟୁ ପ୍ରସଙ୍ଗକୁ କେନ୍ଦ୍ର କରି ଆନ୍ଦୋଳନକୁ ଜୋରଦାର କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି।