ରାଜଧାନୀରେ ଚାଞ୍ଚଲ୍ୟ!

ଲୋଭର‌ ବଶବର୍ତ୍ତୀ ହୋଇ ପିଲା ବିକ୍ରି କଲେ ବାପା ମା’

ଭୁବନେଶ୍ୱର, ୨୭/୧୧: ରାଜଧାନୀରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ମାତ୍ର ଟଙ୍କା କେଇଟା ପାଇଁ ଲୋଭର ବଶବର୍ତ୍ତୀ ହୋଇ ନିଜ ଜନ୍ମ କଲା ଶିଶୁ‌ କନ୍ୟାକୁ ଅନ୍ୟ ହାତକୁ ଟେକି ଦେଇଛନ୍ତି ବାପା ମାଆ। ବିହାରର ଜଣେ ଦମ୍ପତି ମାତ୍ର ୪୦ ହଜାର ଟଙ୍କାରେ ନିଜର ୪ ବର୍ଷର ଝିଅକୁ ବିକ୍ରି କରିଥିବା ଅଭିଯୋଗ ଆସିଥିଲା।

ବିହାରରୁ ଓଡ଼ିଶା ଆସି ଭୁବନେଶ୍ବର ସ୍ଥିତ ଟଙ୍କପାଣି ରୋଡରେ ଏକ ଫର୍ଣ୍ଣିଚର ସୋ’ରୁମରେ କାମ କରୁଥିଲେ ଦମ୍ପତି। ଏହି ଘଟଣା ସମ୍ପର୍କରେ ସଂସ୍ଥା ମାଲିକ ସାର୍ଥକ ମହାନ୍ତି ଜାଣିବା ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା।

ଅଭିଯୋଗ ଅନୁଯାୟୀ, ପିପିଲି ଅଞ୍ଚଳରେ ରହୁଥିବା ଜଣେ ଦଲାଲଙ୍କ ସଂପୃକ୍ତିରେ ଦମ୍ପତି ନିଜ ଝିଅକୁ ବିକ୍ରି କରିଦେଇଥିଲେ ଦମ୍ପତି।‌ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିବା ସହ ପିପିଲିରେ ଥିବା କ୍ରେତାମାନଙ୍କୁ ଠାବ କରିଥିଲା। ଶିଶୁଟିକୁ ଉଦ୍ଧାର କରାଯିବା ସହ ଉଭୟ ବିକ୍ରି କରିଥିବା ଓ କିଣିଥିବା ଦମ୍ପତିଙ୍କ ସହ ଦୁଇ ଜଣ ମଧ୍ୟସ୍ଥିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଶିଶୁକନ୍ୟାକୁ କିଣିଥିବା ଦମ୍ପତି କହିଛନ୍ତି, ବିହାରର ସେହି ଦମ୍ପତି ଅର୍ଥାଭାବରୁ ଶିଶୁକନ୍ୟାକୁ ଏକ ଅନାଥାଶ୍ରମରେ ଛାଡ଼ିବା ପାଇଁ ଯୋଜନା କରିଥିଲେ। ହେଲେ, ପିପିଲିର ସେହି ଦମ୍ପତି ତାଙ୍କର‌ କେହି ପିଲା ନଥିବାରୁ ଶିଶୁକନ୍ୟାକୁ କିଣି ନେବା ପାଇଁ ରାଜି ହୋଇଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିବା ଦୁଇ ଦଲାଲଙ୍କ ସହାୟତାରେ ବିହାରର ଉକ୍ତ ଦମ୍ପତିଙ୍କୁ ୪୦ ହଜାର ଟଙ୍କା ଦେଇ ୪ ବର୍ଷର‌ ଶିଶୁକନ୍ୟାକୁ କିଣି ନେଇଥିଲେ।