ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
୨୯ ତାରିଖ ଅପରାହ୍ନ ୪ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ।
ରୋଡ଼ ସୋ କରିବେନି ମୋଦି: ମନମୋହନ
ଭୁବନେଶ୍ୱର, ୨୭/୧୧: ନଭେମ୍ବର ୨୯ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ଓଡ଼ିଶାକୁ ୩ ଦିନିଆ ଗସ୍ତରେ ଆସିବେ। ୨୯ ତାରିଖ ଅପରାହ୍ନ ୪ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ।
ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ରାଜଭବନରେ କିଛି ସମୟ ଅଟକିବା ପରେ ସନ୍ଧ୍ୟା ସାଢ଼େ ୬ଟାରେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଦଳୀୟ ସାଂସଦ, ବିଧାୟକ ଓ ପଦାଧିକାରୀଙ୍କ ବୈଠକ କରିବେ ଏବଂ ସେଠାରେ ହିଁ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି କାର୍ଯ୍ୟାଳୟରେ ରହିବେ। ପ୍ରଧାନମନ୍ତ୍ରୀ ରୋଡ୍ ସୋ କରିବେ ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଡିଜିପି ୱାଇବି ଖୁରାନିଆଙ୍କ ସହ ରାଜ୍ୟ ଦଳୀୟ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଆସନ୍ତା ଦୁଇ ଦିନ ମଧ୍ୟରେ ଲୋକସେବା ଭବନର କନଭେନ୍ସନ୍ ହଲ୍ ରେ ହେବାକୁ ଥିବା ଡିଜିପି ଓ ଆଇଜି ସମ୍ମିଳନୀରେ ମୋଦି ଯୋଗଦେବେ। ମୋଦିଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନକୁ ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା କରାଯାଇଛି।