ରାଜ୍ୟରେ ପୁଣି ଦେଖା ଦେବ ଆଳୁ ସଙ୍କଟ
ପଶ୍ଚିମବଙ୍ଗରୁ ଆସୁନି ଆଳୁ ଟ୍ରକ।
ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ପରେ ଚିନ୍ତାରେ ଖାଉଟି
ଭୁବନେଶ୍ୱର, ୨୮/୧୧: ଓଡ଼ିଶାରେ ଗ୍ରାହକମାନେ ପୁଣି ଥରେ ଆଳୁ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସାରା ରାଜ୍ୟରେ ଏବେ ପନିପରିବା ଦର ଅଧିକ ରହିଥିବା ବେଳେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ଉପରେ କଟକଣା ଜାରି କରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କ ଅଧିକାରୀମାନଙ୍କୁ ଓଡ଼ିଶାକୁ ଆଳୁ ଯୋଗାଣ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ଯୋଗୁଁ ପଶ୍ଚିମବଙ୍ଗରେ ଆଳୁର ଅଭାବ ଦେଖାଦେଉଛି। ଯେପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଆଳୁ ଦର ଉପରେ ଲଗାମ ନ ଲାଗିଛି, ସେପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ଆଳୁ ଯୋଗାଣରେ ରୋକ ଲାଗିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଶ୍ଚିମବଙ୍ଗ ପୁଲିସ ଆଳୁ ବୋଝେଇ ଗାଡ଼ିକୁ ପଶ୍ଚିମ ମେଦିନୀପୁର ସୀମା ଫାଟକରେ ଅଟକାଇବାରୁ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସିବା ବନ୍ଦ ହୋଇଯାଇଛି। ଓଡ଼ିଶାକୁ ଆଳୁ ପରିବହନ ପାଇଁ ଆବଶ୍ୟକ ଅନୁମତି ନଥିବାରୁ ବୁଧବାର ସୀମା ନିକଟରେ ଶହ ଶହ ଆଳୁ ଟ୍ରକ ଅଟକି ରହିଥିଲା।