ସୁଭଦ୍ରା ଯୋଜନାକୁ ନେଇ ପୁଣି ବଡ଼ ଘୋଷଣା

ଜାଣନ୍ତୁ କ'ଣ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଏଇ ମାସରେ ୨୧ ବର୍ଷ ହେଉଥିଲେ ପାଇବେ ସୁଭଦ୍ରା

ଭୁବନେଶ୍ୱର, ୨୮/୧୧: ଓଡ଼ିଶାରେ ଫ୍ଲାଗ-ସିପ ମୋଡରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ସୃଷ୍ଟି କରିଛି ମାଇଲଖୁଣ୍ଟ। ସୁଭଦ୍ରା ସହିତ ଯୋଡି ହେଲେଣି ୮୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା। ଏହାକୁ ନେଇ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀମତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ମହିଳାଙ୍କ ମଧ୍ୟରୁ ଯେଉଁମାନେ ବାଦ ପଡିଛନ୍ତି ସେମାନଙ୍କର ଆବେଦନ ୧୫ ଦିନ ମଧ୍ୟରେ ଯାଞ୍ଚ ଶେଷ ହେବ। ଅଯୋଗ୍ୟ ଘୋଷଣା ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ସବୁ ଜିଲ୍ଲାରେ ବିଭାଗୀୟ ଅଧିକାରୀମାନେ ସମୀକ୍ଷା କରି ୨୨ ପ୍ରତିଶତ ହିତାଧିକାରୀ ଏହି ଯୋଜନାର ଲାଭ ପାଇଛନ୍ତି। ସୁଭଦ୍ରା ଯୋଜନା ପାଇଁ ୧ କୋଟି ୬ ଲକ୍ଷ ହିତାଧିକାରୀ ପଞ୍ଜୀକରଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ଲକ୍ଷ ୪୬ ହଜାର ମହିଳା ଟଙ୍କା ପାଇସାରିଲେଣି। ଯେଉଁମାନଙ୍କ ବୟସ ନଭେମ୍ବର ଶେଷ ସୁଦ୍ଧା ୨୧ ବର୍ଷ ହେବ, ସେମାନେ ଆବେଦନ କରିପାରିବେ।

ମାଲକାନଗିରି, ଗଜପତି ଓ କୋରାପୁଟ ଜିଲ୍ଲାରେ ସବୁଠୁ କମ୍ ଆବେଦନ ହୋଇଥିବା ଜଣାପଡ଼ିଛି। ତେଣୁ ଏହି ଜିଲ୍ଲା ଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି। ଏହି ଜିଲ୍ଲା ଗୁଡ଼ିକରେ ସିଡିପିଓଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ଯାଇ ଫିଜିକାଲ ଭେରିଫିକେସନ କରୁଛନ୍ତି। ପ୍ରଥମ କିସ୍ତିର ଶେଷ ଦିନ ୨୦୨୫ ମାର୍ଚ୍ଚ ୭ ତାରିଖ ଥିବା ବେଳେ ମାର୍ଚ୍ଚ ୮ରେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ।