ରାଜଧାନୀ ଭୁବନେଶ୍ବର ଉପରେ ଆତଙ୍କୀ ନଜର
ଛଦ୍ମ ବେଶରେ ମନ୍ଦିର ଓ ହୋଟେଲରେ ପ୍ରବେଶ କରିବେ!
ଓଡ଼ିଶା ପୋଲିସ ପାଇଁ ଚ୍ୟାଲେଞ୍ଜ: ଜଗିବେ ୮୦ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର, ୨୮/୧୧: ଆସନ୍ତାକାଲିଠୁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ତିନି ଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ବିଶିଷ୍ଟ ବ୍ୟକ୍ତିଙ୍କ ଭୁବନେଶ୍ୱର ଆସିବାର ଗୋଟିଏ ଦିନ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଗୁରୁବାର ଏକ ଭିଡିଓ ବାର୍ତ୍ତା ଜାରି କରି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଛି।
ଡିଜିପି ଆତଙ୍କୀ ସମ୍ମିଳନୀରେ ହିଂସାତ୍ମକ ହିନ୍ଦୁତ୍ବ ବିଚାରଧାରାର ପ୍ରଭାବରେ ସେମାନେ ଖଲିସ୍ତାନ ସମର୍ଥକ ଶିଖ, କାଶ୍ମୀର ସଂଗ୍ରାମୀ, ନକ୍ସଲ ଓ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି। ମନ୍ଦ ମୋଦି-ଶାହ-ଡୋଭାଲ ଭୁବନେଶ୍ୱର ପାଇଁ ସବୁଠାରୁ ବଡ଼ ବିପଦ ଆଣି ଦେଉଛନ୍ତି ବୋଲି ପନ୍ନୁ କହିଛି। ସେହିପରି ଭୁବନେଶ୍ବରର ବିଭିନ୍ନ ମନ୍ଦିର ଓ ହୋଟେଲରେ ଛଦ୍ମ ବେଶ ଧରି ରହିବାକୁ ତା’ର ଏଜେଣ୍ଟମାନଙ୍କୁ ପନ୍ନୁ ଆହ୍ୱାନ କରିଛି।
ଏହି ଘଟଣା ଓଡ଼ିଶା ପୁଲିସକୁ ଚିନ୍ତାରେ ପକାଇଥିବା ବେଳେ ଡିଜିପି ଓ୍ଵାଇବି ଖୁରାନିଆ କହିଛନ୍ତି ଯେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତିନି ଦିନିଆ ଜାତୀୟ ସମ୍ମିଳନୀକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆମେ ହାଇ ଆଲର୍ଟରେ ରହିଛୁ ଏବଂ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିଛୁ।
ଏଡିଜି ସଞ୍ଜୟ କୁମାର କହିଛନ୍ତି, ଓଡ଼ିଶା ପୁଲିସର ପ୍ରାୟ ୮୦ ପ୍ଲାଟୁନ୍ ଫୋର୍ସ (୧ ପ୍ଲାଟୁନ୍ ରେ ୩୦ ଜଣ ଯବାନ) ଏବଂ ସିଆରପିଏଫ୍ ଓ ବିଏସ୍ଏଫ୍ ଯବାନଙ୍କ ସମେତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍)ର ୧୦ କମ୍ପାନି ପ୍ରମୁଖ ସ୍ଥାନରେ ମୁତୟନ ହୋଇଛନ୍ତି। ସଭାସ୍ଥଳ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସୁରକ୍ଷିତ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ଏବଂ ଏସପିଜି ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତୁଲାଇବ। ବିପଦ ସ୍ତରକୁ ଦୃଷ୍ଟିରେ ରଖି ସୁରକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସମ୍ମିଳନୀ ସମୟରେ ଜନସାଧାରଣଙ୍କ ଅସୁବିଧାକୁ ରୋକିବା ପାଇଁ ଟ୍ରାଫିକ ପରିଚାଳନା ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ଅଟେ। ଜଣେ ଡିଜି ପାହ୍ୟାର ଅଧିକାରୀ ଦୁଇ ଜଣ ଏସପି ପାହ୍ୟାର ଅଧିକାରୀଙ୍କ ସହାୟତାରେ ଟ୍ରାଫିକ୍ ତଦାରଖ କରିବେ ବୋଲି ଏଡିଜି କୁମାର କହିଛନ୍ତି।
ଟ୍ୱିନ ସିଟି କମିଶନର ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି, ଭୁବନେଶ୍ୱରର ସୁରକ୍ଷା ପାଇଁ ରୋବଷ୍ଟ ସିକ୍ୟୁରିଟି ବ୍ଲାଙ୍କେଟ ତିଆରି କରାଯାଇଛି। ଓଡିଶା କମିଶନରେଟ ପୋଲିସ୍, ଓଡ଼ିଶା ପୋଲିସର ବିଶେଷ ଏଜେନ୍ସି, ଯେପରିକି ଆଣ୍ଟି ଟେରୋର ଏଜେନ୍ସି, କେନ୍ଦ୍ରୀୟ ସଶସ୍ତ୍ର ପୋଲିସବଳ ଏବଂ ଗୁଇନ୍ଦା ସଂସ୍ଥାଙ୍କ ସମନ୍ୱୟ ରକ୍ଷା କରି ଏହି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଦତ୍ତ କହିଛନ୍ତି।