‘ଦି ସାବରମତୀ ରିପୋର୍ଟ’କୁ ଟିକସ ମୁକ୍ତ କଲେ ରାଜ୍ୟ ସରକାର
ସପ୍ତମ ବିଜେପି ଶାସିତ ରାଜ୍ୟ ଭାବେ ଏହି ଫିଲ୍ମକୁ ଟିକସ ମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା
ଭୁବନେଶ୍ୱର, ୨୮/୧୧: ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ଆଧାରିତ ‘ଦି ସାବରମତୀ ରିପୋର୍ଟ’ ଫିଲ୍ମକୁ ଟିକସ ମୁକ୍ତ କରିଛନ୍ତି ରାଜ୍ୟ ସରକାର। ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଗୁଜରାଟ ପରେ ଓଡ଼ିଶା ସପ୍ତମ ବିଜେପି ଶାସିତ ରାଜ୍ୟ ଭାବେ ଏହି ଫିଲ୍ମକୁ ଟିକସରୁ ମୁକ୍ତ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ବିଧାନସଭାରେ ଏହି ଘୋଷଣା କରିଛନ୍ତି।
ବିକ୍ରାନ୍ତ ମେସିଙ୍କ ଅଭିନୀତ ୨ ଘଣ୍ଟା ୭ ମିନିଟର ଏହି ଫିଲ୍ମ ଗତ ୧୨ ଦିନରେ ୨୦ କୋଟିରୁ ଅଧିକ ଆୟ କରି ସାରିଲାଣି। ଶୋଭା କପୁର, ଏକତା କପୁର, ଅମୁଲ ଭି ମୋହନ ଏବଂ ଅଂଶୁଲ ମୋହନଙ୍କ ପ୍ରଯୋଜିତ ଏବଂ ଧୀରଜ ସରନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୨୦୦୨ ଫେବ୍ରୁଆରି ୨୭ରେ ଗୁଜରାଟର ଗୋଧ୍ରା ଷ୍ଟେସନ ନିକଟରେ ସାବରମତୀ ଏକ୍ସପ୍ରେସର ଏସ-୬ ବଗିରେ ନିଆଁ ଲଗାଇ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଉପରେ ଆଧାରିତ। ଏହି ଘଟଣାକୁ ନେଇ ସେହି ବର୍ଷ ଗୁଜୁରାଟରେ ଦଙ୍ଗା ସୃଷ୍ଟି ହୋଇଥିଲା।