ବରଗଡ଼, ୦୧/୧୨: ଭୁବନେଶ୍ୱର ପ୍ରଧାନ ପୁଣି ହେବେ ବରଗଡ଼ ଧନୁଯାତ୍ରା ମହାରାଜ କଂସ । ରବିବାର ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଗତ ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ମଧ୍ୟରେ ଥିବା ଚାରି ଜଣ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଭୁବନେଶ୍ୱର ପ୍ରଧାନ, ଜଗଦାନନ୍ଦ ମିଶ୍ର ଏବଂ ସୁଶୀଲ କୁମାର ମେହେର ଏଥିରେ ଭାଗ ନେଇଥିଲେ । ଭବାନୀପାଟଣାର ଉମେଶ ଚନ୍ଦ୍ର ଶତପଥୀ , ଝାରସୁଗୁଡାର ସନ୍ଦୀପ ଆଚାର୍ଯ୍ୟ ଏବଂ ଭଟଲିର ପ୍ରାଧ୍ୟାପକ ଚୂଡାମଣୀ ରଥ ଚୟନକର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ ଏବଂ ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ବିବାଦୀୟ ହୋଇପଡିବାରୁ ତାଙ୍କୁ ବାଦ ଦିଆଯିବାକୁ ନିଷ୍ପତି ହୋଇଥିଲା । ଜାନୁୟାରୀ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ୭୭ ତମ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ଏବଂ ଚଳିତ ମାସ ଡିସେମ୍ବର ୪ ତାରିଖରେ ଏ ନେଇ ଶୁଭସ୍ତମ୍ଭ ସ୍ଥାପିତ ହେବ।