୩୦ ବର୍ଷ ପରେ ପୁଡୁଚେରୀରେ ରେକର୍ଡ ୪୮.୪ ସେ.ମି. ବର୍ଷା

ବାତ୍ୟା ଫେଙ୍ଗଲ ଯୋଗୁଁ ନଭେମ୍ବର ୩୦ ତାରିଖ ରାତିରେ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇଛି।

ଉପରାଜ୍ୟପାଳ କୈଳାସନାଥନଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ, ୦୧/୧୨: ବାତ୍ୟା ଫେଙ୍ଗଲ ଯୋଗୁଁ ନଭେମ୍ବର ୩୦ ତାରିଖ ରାତିରେ ପୁଡୁଚେରୀରେ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ସମଗ୍ର ପୁଡୁଚେରୀ ଅଞ୍ଚଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ପରେ ରାସ୍ତାରେ ଆଂଶିକ ଭାବେ ଯାନବାହାନ ବୁଡ଼ି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଏବେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୁଡୁଚେରୀର ଉପରାଜ୍ୟପାଳ କୈଳାସନାଥନ ବାତ୍ୟା ଜନିତ ଭୟଙ୍କର ବନ୍ୟାର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପୁଡୁଚେରୀରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮.୪ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା କି ଗତ ୩୦ ବର୍ଷ ମଧ୍ୟରେ ସର୍ବାଧିକ ବର୍ଷା। ପୁଡୁଚେରୀରେ ୩୦ ବର୍ଷ ମଧ୍ୟରେ ସର୍ବାଧିକ ୪୬ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା କି ୨୦୦୪ ଅକ୍ଟୋବର ୩୧ରେ ୨୧ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିଲା।

ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ହେବାରୁ କେତେକ ଅଞ୍ଚଳ ଜଳମଗ୍ନ ହେବା ସହ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ନଭେମ୍ବର ୩୦ ତାରିଖ ରାତି ୧୧ଟାରୁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ରହିବା ପାଇଁ ସରକାର ରିଲିଫ୍ ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ଡିସେମ୍ବର ୧ ତାରିଖ ସକାଳୁ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି। ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।