ଆଳୁ ରାଜନୀତି: ବିସ୍ଫୋରକ ମନ୍ତବ୍ୟ ଦେଲେ ଯୋଗାଣ ମନ୍ତ୍ରୀ

ଜବାବ ରଖିଲେ ବିଧାୟକ ସାରଦା ଜେନା

ଭୁବନେଶ୍ୱର, ୦୫/୧୨: ରାଜ୍ୟରେ ପନିପରିବା ଦର ଉପରମୁହାଁ ଥିବା ବେଳେ ଆଳୁ ଦର ମଧ୍ୟ ଅନିୟନ୍ତ୍ରିତ ଅବସ୍ଥାରେ ରହିଛି। ଆଳୁକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି‌। ବିଧାନସଭାରେ ମଧ୍ୟ ଶାସକ ବିରୋଧୀ ମୁହାଁମୁହିଁ ହେଉଛନ୍ତି। କଥା କଟାକଟିରେ ଲାଗିଛନ୍ତି ଶାସକ-ବିରୋଧୀ। କଥା କଟାକଟିରେ ପରସ୍ପରକୁ ଘେରୁଛନ୍ତି ନେତା ବିଧାୟକ। ସେପଟେ ଆଳୁ ସଙ୍କଟକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ବିଜେପି ସରକାରଙ୍କୁ ବଦନାମ କରିବା ପାଇଁ ରାଜନୀତି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରାଜନୀତି ବିଷୟରେ ସେ ଅବଗତ ନଥିବା ଦର୍ଶାଇ କହିଛନ୍ତି, ମମତା ବାନାର୍ଜୀ କାହିଁକି ପ୍ରଥମେ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଥିଲେ ଏବଂ ପରେ ପୁଣି ଆଳୁ ଦେବା ପାଇଁ ରାଜି ହେଲେ ତାହା ମୁଁ ବୁଝିପାରୁନାହିଁ। ବଜାରରେ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ସ୍ୱାଭାବିକ ରହିଛି ଏବଂ ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇ ବିଜେଡ଼ି ବିଧାୟକ ସାରଦା ଜେନା କହିଛନ୍ତି, ଯୋଗାଣ ମନ୍ତ୍ରୀଙ୍କ ଏଭଳି ବେଫିକର ବୟାନ ଲୋକଙ୍କୁ କଷ୍ଟ ଦେଉଛି। ମନ୍ତ୍ରୀ ଏଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ। ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଏମିତି କହୁଛନ୍ତି ବୋଲି ବିଧାୟକ ଶ୍ରୀ ଜେନା କହିଛନ୍ତି।