ଓଡ଼ିଶାର ଦୁଇ ଜିଲ୍ଲାରେ ସୁନା ଖଣିର ସନ୍ଧାନ

ଗୃହରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର, ୦୫/୧୨: ଓଡ଼ିଶାର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଏହି ସୁନା ଖଣି ଠାବ କରାଯାଇଛି। ଦେବଗଡ଼ର ଅଡାସ ଓ ରାମପଲି ଅଞ୍ଚଳ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର ଓ ଗାଜିପୁର ଅଞ୍ଚଳରେ ସୁନା ଖଣି ଥିବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା। ବିଧାୟକ ଅଶ୍ୱିନୀ ପାତ୍ର ଏବଂ ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଦେବଗଡ଼ର ଅଡାସ ଓ ରାମପଲି ଅଞ୍ଚଳରେ ଜିଏସଆଇ ଦ୍ୱାରା ଜି୨ ସ୍ତରର ସର୍ଭେ ସରିଛି। କେନ୍ଦୁଝରର ଗୋପୁର ଓ ଗାଜିପୁର ଅଞ୍ଚଳରେ ଜି୩ ସ୍ତରର ସର୍ଭେ ସରିଛି। ଏଣୁ ଏହି ଅଞ୍ଚଳ ଗୁଡିକରେ ଜେଏସଆଇ, ରାଜ୍ୟ ଖଣି ବିଭାଗ ଓ ଭୂତତ୍ୱ ନିର୍ଦ୍ଦେଶାଳୟର ସହଭାଗିତାରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି। ଅନୁସନ୍ଧାନ ସଂସ୍ଥାଙ୍କ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।