ଡେରିରେ ନ୍ୟାୟ ମିଳିବା ନ୍ୟାୟ ନ ମିଳିବା ସହ ସମାନ: ରାଷ୍ଟ୍ରପତି

ଭୁବନେଶ୍ୱରଠାରେ ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ଅଦାଲତରେ ବାତାବରଣ ସମ୍ବେଦନଶୀଳ ହେବା ଉଚିତ୍

ଭୁବନେଶ୍ୱର, ୦୫/୧୨: ଭୁବନେଶ୍ୱରଠାରେ ନୂତନ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏହା ସହ କମ୍ପ୍ଲେକ୍ସ ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଏହି ଅବସରରେ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ମହାତ୍ମାଗାନ୍ଧୀ ସର୍ବଦା ନ୍ୟାୟ ପ୍ରତିଷ୍ଠା ପାଇଁ ଅନ୍ୟାୟ ବିରୋଧରେ ସଂଗ୍ରହ କରିଥିଲେ। ଏହି ନ୍ୟାୟାଳୟ ପରିସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିବା ଏକ ପ୍ରଶଂସନୀୟ କାର୍ଯ୍ୟ।

ଏହି କୋର୍ଟ କମ୍ପ୍ଲେକ୍ସରେ ଭୁବନେଶ୍ୱରର ସମସ୍ତ ବିଚାର ବିଭାଗୀୟ କୋର୍ଟ ଏବଂ ଟ୍ରିବ୍ୟୁନାଲ କାର୍ଯ୍ୟ କରିବ। ଏହା ଦ୍ୱାରା କୋର୍ଟ କଚେରୀରେ ଥିବା କାମ ପାଇଁ ଜନସାଧାରଣ ତଥା ଆଇନଜୀବୀଙ୍କୁ ଭିନ୍ନ‌ ଭିନ୍ନ‌ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ରାଷ୍ଟ୍ରପତି କହିବା ସହ ଆଇନ ପ୍ରକ୍ରିୟା ସହିତ ଲୋକମାନଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ଏକ କମ୍ପ୍ଲେକ୍ସ ନିର୍ମାଣ କରିଥିବାରୁ ରାଜ୍ୟ ସରକାର ଏବଂ ଉଚ୍ଚ ନ୍ୟାୟାଳୟକୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହା ଦ୍ୱାରା କୋର୍ଟ କାର୍ଯ୍ୟ ସୁଚାରୁରୂପେ ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ନ୍ୟାୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ନୂତନ ଜ୍ଞାନକୌଶଳର ବ୍ୟବହାର କରାଯାଉଛି। କୋର୍ଟ ପରିସରରେ ଏହି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବା ଦ୍ୱାରା ନ୍ୟାୟ କ୍ଷେତ୍ରରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି କହିଥିଲେ, ଯଦି ଠିକ୍ ସମୟରେ ନ୍ୟାୟ ନ ମିଳେ ତେବେ ନ୍ୟାୟ ନ ମିଳିବା ସହ ସମାନ। ମୁଲତବୀ ପ୍ରକ୍ରିୟା ଯୋଗୁଁ ଗରିବ ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ବାରମ୍ବାର ଅଦାଲତକୁ ଯିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ କି ମାନବ ସମ୍ବଳ ନାହିଁ। ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଚ୍ଛେଦ ପଡେ, ସେଥିପାଇଁ ସମସ୍ତଙ୍କୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ସାଧାରଣ ଲୋକଙ୍କ ପାଇଁ ଭାଷା ମୁଖ୍ୟ ବାଧକ। ଓକିଲ ସେମାନଙ୍କ ପାଇଁ କ’ଣ ଯୁକ୍ତି କରୁଛନ୍ତି କିମ୍ବା ବିଚାରପତି କ’ଣ ମତାମତ ଦେଉଛନ୍ତି ତାହା ସେମାନେ ବୁଝିପାରୁନାହାନ୍ତି। ସୁପ୍ରିମ୍ କୋର୍ଟଙ୍କ ରାୟକୁ ଏବେ ଓଡ଼ିଆ ଓ ସାନ୍ତାଳି ଭାଷାରେ ଅନୁବାଦ କରାଯାଉଛି ଏବଂ ଏହି ଅନୁବାଦିତ ରାୟ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟର ୱେବସାଇଟରେ ପ୍ରକାଶିତ ହେଉଛି।

ରାଷ୍ଟ୍ରପତି ମହିଳାଙ୍କ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଅନ୍ୟାନ୍ୟ କ୍ଷେତ୍ର ଭଳି ନ୍ୟାୟପାଳିକାରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବଢ଼ିବା ଦରକାର। ବର୍ତମାନ ଓଡ଼ିଶା ଜୁଡିସିଆଲ ସର୍ଭିସରେ ୪୮ ପ୍ରତିଶତ ମହିଳା ଅଫିସର ଅଛନ୍ତି। ଆଗାମୀ ଦିନରେ ମହିଳା ଅଧିକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ ସାଧାରଣ ନାଗରିକଙ୍କ ପାଇଁ ଅଦାଲତରେ ବାତାବରଣ ସମ୍ବେଦନଶୀଳ ହେବା ଉଚିତ୍। କାରଣ ଅଧିକାଂଶ ଲୋକ ଓକିଲ ଓ ବିଚାରପତିଙ୍କ ସାମ୍ନାରେ ବିଚଳିତ ହୋଇଯାଆନ୍ତି। ତେଣୁ ସମ୍ବେଦନଶୀଳ ବାତାବରଣ ଦ୍ୱାରା ସେମାନେ ମୁକ୍ତ ଭାବରେ ନିଜ ଭାବନା ପ୍ରକାଶ କରି ପାରିବେ।