ଓଡ଼ିଶାରେ ବନ୍ଦ ହେବ ଗୋହତ୍ୟା ଓ ଗୋଚାଲାଣ
ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
ରାଜ୍ୟ ସରକାର ଆଣିବେ କଡ଼ା ଆଇନ: ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୦୫/୧୨: ଆସାମ ସରକାର ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇବା ଉପରେ କଟକଣା ଲଗାଇବା ପରେ ଓଡ଼ିଶା ସରକାର ଗୋହତ୍ୟାକୁ ନିଷିଦ୍ଧ କରିବା ପାଇଁ ଆଇନ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗୋରୁଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଗୋହତ୍ୟାକୁ ନେଇ ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଏବଂ ଆମେ ଏ ସଂକ୍ରାନ୍ତରେ ଏକ ଆଇନ ଆଣିବାକୁ ବିଚାର କରୁଛୁ। ଏହି ଅଧିବେଶନରେ ବିଧାନସଭାରେ କିଛି ବିଲ୍ ଆଗତ ହେବ। ସେଥିମଧ୍ୟରୁ ଗୋଟିଏ ଗୋହତ୍ୟା ନିଷେଧାଦେଶ ସହ ଜଡ଼ିତ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ମନ୍ତ୍ରୀଙ୍କ ସୂଚନା ଉପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ କେଉଁ ଦଳର ଲୋକ ଗୋ ଚାଲାଣ କରୁଛନ୍ତି ଏବଂ ଗୋମାଂସ ବିକ୍ରି କରୁଛନ୍ତି, ପ୍ରଥମେ ତାହାକୁ ଚିହ୍ନଟ କରନ୍ତୁ। ଏହା ପରେ ବିଲ ଆଣନ୍ତୁ। କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରନ୍ତୁ ନାହିଁ।
ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଗୋ ହତ୍ୟା ନିରୋଧ ଆଇନକୁ ଆମେ ବିରୋଧ କରୁନୁ। ହେଲେ, ତା ପୂର୍ବରୁ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ।