ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଏସିଏଫଙ୍କ ଘରେ ଭିଜିଲାନ୍ସ ରେଡ ଆଲର୍ଟ
ସରକାରୀ ବାସଭବନରୁ ମିଳିଲାଣି ୧୪.୫୦ ଲକ୍ଷ ଟଙ୍କା
ଚଢ଼ାଉକୁ ବେଆଇନ କହିଲେ ଏସିଏଫ ଯୋଶୀ
ସମ୍ବଲପୁର, ୦୬/୧୨: ଭିଜିଲାନ୍ସ ଜାଲରେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ୍) ରେବତୀ ରମଣ ଯୋଶୀ। ଯୋଶୀଙ୍କ ସହ ଜଡ଼ିତ ସମ୍ବଲପୁର ଓ ବରଗଡ଼ର ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା।
ସମ୍ବଲପୁର ସ୍ବତନ୍ତ୍ର ବିଚାରପତି ଭିଜିଲାନ୍ସ ପକ୍ଷରୁ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି।
ସମ୍ବଲପୁର ଡିଅର ପାର୍କ ନିକଟରେ ଥିବା ତାଙ୍କ ସରକାରୀ କ୍ୱାର୍ଟର, ସମ୍ବଲପୁରସ୍ଥିତ ଶ୍ରୀ ଯୋଶୀଙ୍କ କାର୍ଯ୍ୟାଳୟ, ଅଇଁଠାପଲ୍ଲୀଠାରେ ଥିବା ତିନି ମହଲା କୋଠା, ସମ୍ବଲପୁରର ଚର୍ଚ୍ଚ ଛକ ସ୍ଥିତ ଘର, ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଆଉ ଏକ ଘର, ଫାର୍ମ ରୋଡରେ ଥିବା ଆପାର୍ଟମେଣ୍ଟ, ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ମାଳିପଲ୍ଲୀଠାରେ ଏକ ମହଲା କୋଠା, ବରଗଡ଼ ଜିଲ୍ଲା ପଦ୍ମପୁରରେ ଏକ ମହଲା କୋଠା ଏବଂ ବରଗଡ଼ ଜିଲ୍ଲା ବିଜେପୁର ବଳନ୍ଦା ଗ୍ରାମରେ ଥିବା ଶ୍ରୀ ଯୋଶୀଙ୍କ ପୈତୃକ ଘରେ ଚଢ଼ାଉ ଚାଲିଛି।
ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ନଗଦ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମିଳି ସାରିଲାଣି। ତେବେ ଏହି ଚଢାଉକୁ ବେଆଇନ ବୋଲି କହିଛନ୍ତି ଶ୍ରୀ ଯୋଶୀ। ତାଙ୍କ ଶତ୍ରୁମାନେ ତାଙ୍କ ନାମରେ ମିଛ ଅଭିଯୋଗ କରିଛନ୍ତି ଓ ତାଙ୍କୁ ଏଥିରେ ଫସାଇ ଦିଆଯାଇଛି। ଯାହା ବି ସମ୍ପତ୍ତି ଅଛି, ସେସବୁ ନିଜ ରୋଜଗାରର। ଏବଂ ଭିଜିଲାନ୍ସ ଅଧିକାରୀଙ୍କୁ ଏସବୁର ଦସ୍ତାବିଜ ଦେଖାଇଛନ୍ତି।