ଯାତ୍ରା ମଞ୍ଚରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

ଗାଇଡ ଲାଇନ ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର, ୦୬/୧୨: ରାଜ୍ୟରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବ। ଏହା ସାମ୍ପ୍ରତିକ ପରିସ୍ଥିତିରେ ଏକ ଗମ୍ଭୀରଜନକ ବିଷୟ ହୋଇଥିବା ବେଳେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ବିବୃତି ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ଯାତ୍ରା ଶୋ’ରେ ଅଶ୍ଳୀଳ ନୃତ୍ୟକୁ ନିଷିଦ୍ଧ କରିବା ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି। ଖୁବଶୀଘ୍ର ତାହା ଜାରି କରାଯିବ। ଯାତ୍ରା ପାର୍ଟି ମାନଙ୍କ ଦ୍ୱାରା ମଞ୍ଚରେ ପରିବେଷଣ ହେଉଥିବା ଅଶ୍ଳୀଳ ନୃତ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି ରାଜ୍ୟ ସରକାର।

ଗତ କିଛି ଦିନ ଧରି ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନ ଯୋଗୁଁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ବୁଦ୍ଧିଜୀବୀ ମହଲରେ ଏହାକୁ କଡ଼ା ନିନ୍ଦା କରାଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଗାଇଡ ଲାଇନ ଆସିଲେ ଏହା ଉପରେ ରୋକ ଲଗା ଯାଇପାରିବ।