ନୋବେଲ ବିଜେତା ଡ଼ ମାଇକେଲ କ୍ରେମରଙ୍କ କୃଷି ଭବନ ପରିଦର୍ଶନ
ନୋବେଲ ବିଜେତା ତଥା ଚିକାଗୋ ୟୁନିଭରସିଟି ପ୍ରଫେସର ଡ଼ ମାଇକେଲ କ୍ରେମର କୃଷି ଭବନ ପରିଦର୍ଶନ କରିଛନ୍ତି।
ଓଡ଼ିଶା ସରକାରଙ୍କ କୃଷି ସମ୍ବନ୍ଧୀୟ ପଦକ୍ଷେପକୁ ଭୂୟସୀ ପ୍ରଶଂସା
ଭୁବନେଶ୍ୱର, ୦୭/୧୨: ୨୦୧୯ରେ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାରପ୍ରାପ୍ତ ଚିକାଗୋ ୟୁନିଭରସିଟି ପ୍ରଫେସର ଡ଼ ମାଇକେଲ କ୍ରେମର ଆଜି ଭୁବନେଶ୍ଵରସ୍ଥିତ କୃଷି ଭବନ ପରିଦର୍ଶନରେ ଆସି ଓଡ଼ିଶା କୃଷି କ୍ଷେତ୍ରର ଅଗ୍ରଗତି ବିଷୟରେ ଅବଗତ ହୋଇଥିଲେ।
ଡ଼ କ୍ରେମର ବିଶ୍ବରେ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିଆସୁଛନ୍ତି ଓ ଏଥିପାଇଁ ସେ ୨୦୧୯ ରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ବର୍ତ୍ତମାନ ସେ ଚିକାଗୋ ୟୁନିଭରସିଟିରେ ବରିଷ୍ଠ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶାର କୃଷି କ୍ଷେତ୍ରରେ ଚଳିତ ବର୍ଷ ବାତ୍ୟା ଦାନା ଯୋଗୁଁ ଉତ୍ପାଦନ ପ୍ରଭାବିତ ହେବା ସତ୍ତ୍ୱେ ଫସଲ ଉତ୍ପାଦନ ବଢିଥିବା ଦେଖି ଡ଼ କ୍ରେମର ଖୁସିବ୍ୟକ୍ତ କରିଛନ୍ତି। ଏହାସହ କୃଷି ବିଭାଗ ଦ୍ଵାରା ନିୟମିତ ବ୍ୟବଧାନରେ କୃଷି ସମୃଦ୍ଧି ପୋର୍ଟାଲ ମାଧ୍ୟମରେ ଚାଷୀଙ୍କୁ ପାଣିପାଗ ଜନିତ ସୂଚନା ପ୍ରଦାନକୁ ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ କୃଷି ସମୀକ୍ଷା କେନ୍ଦ୍ରର ପରିଦର୍ଶନ ସହ ଏହାର କାର୍ଯ୍ୟ ପ୍ରଣାଳୀ ବାବଦରେ ଅବଗତ ହୋଇଥିଲେ। ପୂର୍ବରୁ ମଧ୍ୟ ଡ଼ କ୍ରେମର ଏବଂ ତାଙ୍କ ଟିମ୍ ଓଡ଼ିଶା ସହ ସହଭାଗୀ ହୋଇ କାର୍ଯ୍ୟ କରିଛନ୍ତି ଏବଂ ଏହି ସହଭାଗିତା ଆଗକୁ ମଧ୍ୟ ଜାରି ରହିବ ବୋଲି ଡ଼ କ୍ରେମର ମତବ୍ୟକ୍ତ କରିଥିଲେ।
ଡ଼ ମାଇକେଲ କ୍ରେମରଙ୍କ କୃଷି ଭବନ ପରିଦର୍ଶନବେଳେ ସାଙ୍ଗରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଳ ପୱନ କଲ୍ୟାଣଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।