ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି
୫ ଦିନିଆ ଓଡ଼ିଶା ଗସ୍ତରେ ଆଜି ରାଷ୍ଟ୍ରପତିଙ୍କ ଅନ୍ତିମ ଦିନ
ଭୁବନେଶ୍ୱର, ୦୭/୧୨: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଥିବା ବେଳେ ଆଜି ଅନ୍ତିମ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଜି ୩ଟି ରେଳ ଲାଇନର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଶିଳାନ୍ୟାସ କରିଛନ୍ତି। ଏଥିସହ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନବନ୍ଦରର ଉନ୍ନତିକରଣ ଏବଂ ରାଇରଙ୍ଗପୁରଠାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ନୂତନ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ସେ ଏହି ମୟୂରଭଞ୍ଜ ମାଟିର ଝିଅ ହୋଇଥିବାରୁ ସର୍ବଦା ଗର୍ବିତ। ଦାୟିତ୍ୱ ଏବଂ ବ୍ୟସ୍ତତା ତାଙ୍କୁ ତାଙ୍କ ଜନ୍ମସ୍ଥାନ ଏବଂ ଏଠାକାର ଲୋକମାନଙ୍କଠାରୁ କେବେ ବି ଦୂରେଇ ରଖିନାହିଁ। ବରଂ ଲୋକଙ୍କ ଭଲପାଇବା ତାଙ୍କୁ ନିଜ ଆଡକୁ ଟାଣି ନେଉଛି।
ରେଳ ପ୍ରକଳ୍ପ ଏବଂ ବିମାନବନ୍ଦର ଏହି ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ ସୁନିଶ୍ଚିତ କରିବ ବୋଲି ରାଷ୍ଟ୍ରପତି ମୁର୍ମୁ ବିଶ୍ୱାସ ବ୍ୟକ୍ତ କରିଥିଲେ। ୧୦୦ ଶଯ୍ୟା ବିଶିଷ୍ଟ ଏହି ନୂତନ ଡାକ୍ତରଖାନା କୋଠା ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ୩ଟି ନୂଆ ରେଳଲାଇନ୍ ମଞ୍ଜୁର ହୋଇଥିବା ବେଳେ ୮୬ କିଲୋମିଟର ବାଙ୍ଗିରିପୋଷି-ଗୋରୁମହିଷାଣୀ ଲାଇନ୍ ପାଇଁ ୨୫୪୯ କୋଟି ଟଙ୍କା, ବାଦାମପାହାଡ଼-କେନ୍ଦୁଝରଗଡ଼ ଲାଇନ୍ ପାଇଁ ୨୧୦୬ କୋଟି ଟଙ୍କା ଏବଂ ୬୦ କିଲୋମିଟର ବୁରାମରା-ଚକୁଳିଆ ଲାଇନ୍ ପାଇଁ ୧୬୩୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।