ଗତ ୧୧ ବର୍ଷରେ ପ୍ରାଣ ହରାଇଛନ୍ତି ୮୫୭ ହାତୀ
୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାରେ ୮୫୭ଟି ହାତୀଙ୍କର ମୃତ୍ୟୁ ଘଟିଛି।
୯୦ ହାତୀଙ୍କର ମୃତ୍ୟୁର କାରଣ ଖୋଜି ପାରିନି ବନ ବିଭାଗ
ଭୁବନେଶ୍ୱର, ୧୦/୧୨: ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାଣ ହରାଇଲେଣି ୮୫୭ଟି ହାତୀ। ମୁଖ୍ୟତଃ ବିଦ୍ୟୁତ୍ ଆଘାତ ଯୋଗୁଁ ଅଧିକାଂଶ ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି ବୋଲି ମଙ୍ଗଳବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ଏହି ସୂଚନା ଦିଆଯାଇଛି।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ହାତୀ ମୃତ୍ୟୁର କେତେକ କାରଣ ହେଉଛି ରୋଗ, ଦୁର୍ଘଟଣା, ଶିକାର ଓ ବିଦ୍ୟୁତ୍ ଆଘାତ। ୨୦୧୪-୧୫ରୁ ୨୦୨୪-୨୫ ଡିସେମ୍ବର ୨ ତାରିଖ ସୁଦ୍ଧା କେବଳ ବିଦ୍ୟୁତ୍ ଆଘାତରେ ୧୪୯ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶିକାରୀମାନେ ୩୦ଟି ହାତୀଙ୍କୁ ହତ୍ୟା କରିଛନ୍ତି। ରୋଗରେ ପୀଡ଼ିତ ହୋଇ ୩୦୫ ହାତୀ ପ୍ରାଣ ହରାଇଥିବା ବେଳେ ୨୨୯ଟି ହାତୀଙ୍କର ସାଧାରଣ ମୃତ୍ୟୁ ଘଟିଛି। ଟ୍ରେନ୍ ଧକ୍କାରେ ୨୯ଟି, ସଡ଼କ ଦୁର୍ଘଟଣାରେ ୭ଟି ଓ ବିଷ କ୍ରିୟାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ହାତୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୧୬ଟି ହାତୀଙ୍କ ମୃତ୍ୟୁ ଘଟିଛି।
୨୦୧୮-୧୯ରେ ସର୍ବାଧିକ ୯୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୪-୧୫ରେ ସର୍ବନିମ୍ନ ୫୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ବନ ବିଭାଗ ୯୦ ଜଣ ହାତୀଙ୍କର ମୃତ୍ୟୁର କୌଣସି କାରଣ ଖୋଜି ପାରିନାହିଁ। ଗତ ମାସରେ ହୋଇଥିବା ସଦ୍ୟତମ ହାତୀ ଗଣନା ଅନୁଯାୟୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୧୦୩ଟି ହାତୀ ଦେଖିବାକୁ ମିଳିଥିଲା।