ଆଗୁଆ ସରିଲା ଶୀତକାଳୀନ ଅଧିବେଶନ
ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ।
ମାତ୍ର ୧୨ ଦିନ ଚାଲିଲା ବିଧାନସଭା
ଭୁବନେଶ୍ୱର, ୧୧/୧୨: ଶେଷ ହେଲା ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟଦିବସ ପୂର୍ବରୁ ଆଗୁଆ ସରିଛି ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟଦିବସ ନିର୍ଘଣ୍ଟ ହୋଇଥିବା ବେଳେ ମାତ୍ର ୧୨ ଦିନ ଚାଲିବା ପରେ ଆଉ ୨୦ ଦିନ ବାକି ଥାଇ ବୁଧବାର ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି।
ଶୀତ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା। ସରକାରୀ କାର୍ଯ୍ୟ ପାଇଁ ୨୦ ଦିନ ରଖାଯାଇଥିବା ବେଳେ ବେସରକାରୀ କାର୍ଯ୍ୟ ପାଇଁ ୫ ଦିନ ସଂରକ୍ଷିତ ରଖାଯାଇଥିଲା।
ଏହି ଅଧିବେଶନରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ। ଶୀତକାଳୀନ ଅଧିବେଶନରେ ବିଧାନସଭାରେ ୨ଟି ବେସରକାରୀ ବିଲ୍ ସମେତ ମୋଟ ୧୨ଟି ବିଲ୍ ଆଗତ ହୋଇଥିଲା।