ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସରକାରଙ୍କ ମୁଖପାତ୍ର କହିଲେ ଖଡଗେ
ଆଜି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଉପରେ ପ୍ରବଳ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ।
ସ୍କୁଲର ପ୍ରଧାନଶିକ୍ଷକ ଭଳି କାର୍ଯ୍ୟ କରୁଛନ୍ତି ଧନଖଡ: ଖଡଗେ
ନୂଆଦିଲ୍ଲୀ, ୧୧/୧୨: ଉପରାଷ୍ଟ୍ରପତିଙ୍କ ଉପରେ ଅସନ୍ତୁଷ୍ଟ ବିରୋଧୀ ଦଳ ତାଙ୍କୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ଗୋଟିଏ ଦିନ ପରେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାଜ୍ୟସଭାରେ ସବୁଠାରୁ ବଡ଼ ବିଭ୍ରାଟକାରୀ ହେଉଛନ୍ତି ନିଜେ ଅଧ୍ୟକ୍ଷ। ସେ ତାଙ୍କ ପରବର୍ତ୍ତୀ ପଦୋନ୍ନତି ପାଇଁ ସରକାରଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟସଭାରେ ସବୁଠାରୁ ବଡ଼ ବିଭ୍ରାଟକାରୀ ନିଜେ ଅଧ୍ୟକ୍ଷ ବୋଲି କହିବାରେ ମୋର କୌଣସି ଦ୍ୱିଧା ନାହିଁ।
ରାଜ୍ୟସଭାରେ ଅଚଳାବସ୍ଥାର ସବୁଠାରୁ ବଡ଼ କାରଣ ହେଉଛନ୍ତି ନିଜେ ଅଧ୍ୟକ୍ଷ। ଉପରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ୧୯୫୨ ପରଠାରୁ କୌଣସି ସଂକଳ୍ପ ଅଣାଯାଇ ନାହିଁ, କାରଣ ଯେଉଁମାନେ ଏହି ପଦରେ ଅଛନ୍ତି ସେମାନେ ନିରପେକ୍ଷ ଏବଂ ରାଜନୀତି ବାହାରେ ଅଛନ୍ତି ଏବଂ ସର୍ବଦା ନିୟମ ଅନୁଯାୟୀ ଗୃହ ଚଳାଉଥିଲେ। କିନ୍ତୁ ଆଜି ଗୃହରେ ନିୟମ ଠାରୁ ଅଧିକ ରାଜନୀତି ଚାଲିଛି। ସେ ସ୍କୁଲର ପ୍ରଧାନଶିକ୍ଷକ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଖଡଗେ କହିଛନ୍ତି। ଅଧ୍ୟକ୍ଷ ଜାଣିଶୁଣି ବିରୋଧୀଙ୍କ ଆଲୋଚନାକୁ ଅଟକାଇଛନ୍ତି। ବିରୋଧୀମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଲେ ଅଧ୍ୟକ୍ଷ ଯୋଜନାବଦ୍ଧ ଭାବେ ଆଲୋଚନା କରିବାକୁ ଦେଉ ନାହାଁନ୍ତି। ବାରମ୍ବାର ବିରୋଧୀ ଦଳ ନେତାଙ୍କୁ କହିବାକୁ ବାରଣ କରାଯାଉଛି। ସାମ୍ବିଧାନିକ ପରମ୍ପରା ପରିବର୍ତ୍ତେ ଶାସକ ବିଜେପି ପ୍ରତି ଉପରାଷ୍ଟ୍ରପତି ଧନଖରଙ୍କ ବିଶ୍ୱସ୍ତତା ରହିଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ କାର୍ଯ୍ୟ ଦେଶର ମର୍ଯ୍ୟାଦାକୁ କ୍ଷତି ପହଞ୍ଚାଇଛି ବୋଲି ଖଡଗେ କହିଛନ୍ତି।