ନୂଆ ବର୍ଷରେ ନୂଆ ସଭାପତି ପାଇବ ବିଜେପି

ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ସୂଚନା।

ରେସରେ ଗୋଲକ, ସମୀର ଓ ମନମୋହନ

ଭୁବନେଶ୍ୱର, ୧୨/୧୨: ନୂଆବର୍ଷରେ ନୂଆ ସଭାପତି ପାଇବ ଭାରତୀୟ ଜନତା ପାର୍ଟି। ୨୦୨୫ ଜାନୁଆରୀ ସୁଦ୍ଧା ବିଜେପି ରାଜ୍ୟ ଶାଖା ଏହାର ନୂତନ ସଭାପତି ଚୟନ କରିବ ବୋଲି ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ସୂଚନା ଦେଇଛନ୍ତି।

ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ତୋମାର କହିଛନ୍ତି ଯେ ଜିଲ୍ଲା ସ୍ତରରେ ସାଂଗଠନିକ ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ହେବ। ବୁଥ୍ କମିଟି ଗଠନ ହୋଇସାରିଛି ଏବଂ ମଣ୍ଡଳ ସ୍ତରରେ ନିର୍ବାଚନ ଚାଲିଛି। ଜିଲ୍ଲାସ୍ତରୀୟ ନିର୍ବାଚନ ସରିବା ପରେ ୨୦୨୫ ଜାନୁଆରି ପ୍ରଥମ ସପ୍ତାହରେ ରାଜ୍ୟ ସଭାପତି ନିର୍ବାଚିତ ହେବେ। ଦଳ ପ୍ରତି ଯେକୌଣସି ଉତ୍ସର୍ଗୀକୃତ କର୍ମକର୍ତ୍ତା ଶୀର୍ଷ ପଦ ପାଇଁ ଯୋଗ୍ୟ ଅଟନ୍ତି। ବିଜେପି ଏକ ଗଣତାନ୍ତ୍ରିକ ଦଳ ଯେଉଁଠାରେ ଜଣେ ସାଧାରଣ କର୍ମୀ ମଧ୍ୟ ସଭାପତି ହୋଇପାରିବେ।

ଅନ୍ୟପଟେ ରାଜ୍ୟ ବିଜେପି ମଙ୍ଗ କିଏ ଧରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଭାପତି ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ବିଜେପିର ବର୍ତ୍ତମାନର ଉପସଭାପତି ଗୋଲକ ମହାପାତ୍ର। ସେହିପରି ପୂର୍ବତନ ସଭାପତି ସମୀର ମହାନ୍ତି ଓ ବର୍ତ୍ତମାନ ସଭାପତି ଥିବା ମନମୋହନ ସାମଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ମନମୋହନ ସାମଲଙ୍କ ଉପରେ ଦଳ ପୁଣି ଭରସା କରିପାରେ ବୋଲି ଅନୁମାନ କରାଯାଉଛି। ନିକଟରେ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳର ଐତିହାସିକ ସଫଳତା ପାଇଁ ତାଙ୍କୁ ଶ୍ରେୟ ଦିଆଯାଏ। ତାଙ୍କ ନେତୃତ୍ୱରେ ବିଜେପି ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟ ବିଧାନସଭାର ୧୪୭ ଆସନରୁ ୭୮ଟି ଆସନ ହାସଲ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନର ଅନ୍ତ ଘଟିଥିଲା। ସେହିପରି ୨୧ ଲୋକସଭା ଆସନରୁ ୨୦ଟି ଆସନ ହାସଲ କରି ପାରିଥିଲା। ତେଣୁ ଦଳ ପୁଣି ଥରେ ତାଙ୍କୁ ରାଜ୍ୟ ବିଜେପିର ଦାୟିତ୍ୱ ଦେଇପାରେ।

ଉଲ୍ଲେଖଯୋଗ୍ୟ, ବିଜେପିର ସଦସ୍ୟତା ଅଭିଯାନ ଚାଲୁ ରହିଛି। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ବିଜେପିର ୩୭ ହଜାର ୮୦୯ ବୁଥ୍ ସ୍ତରୀୟ ନିର୍ବାଚନ ସରିଥିବା ବେଳେ ୧୫ ତାରିଖ ସୁଦ୍ଧା ୧୦୦୫ ମଣ୍ଡଳର ନିର୍ବାଚନ ଶେଷ ହେବ। ସେହିପରି ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ୩୦ ତାରିଖ ସୁଦ୍ଧା ନିର୍ବାଚନ ସାରିବାକୁ ତାରିଖ ଧାର୍ଯ୍ୟ ହୋଇଛି। ଏହି ନିର୍ବାଚିତ ଜିଲ୍ଲା ସଭାପତି ମାନେ ରାଜ୍ୟ ସଭାପତି ବାଛିବେ।