‘ଆହେ ଦୟାମୟ ବିଶ୍ବବିହାରୀ’କୁ ସାଂସଦ ମୁନା ଖାଁଙ୍କ କଟାକ୍ଷ
ସାଂସଦ ପଦ ରଦ୍ଦ ଦାବି କଲା ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ
ଭୁବନେଶ୍ୱର, ୧୩/୧୨: ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ବବିହାରୀ’କୁ କଟାକ୍ଷ କରି ହରଡ଼ଘଣାରେ ପଡିଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ମୁନା ଖାଁ। ‘ଆହେ ଦୟାମୟ……’ର ଅନୁପଯୁକ୍ତ ବ୍ୟାଖ୍ୟା ଏବଂ ଏହାର ଲେଖକ ରାମକୃଷ୍ଣ ନନ୍ଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ସାଂସଦ ମୁନ୍ନା ଖାନଙ୍କ ବିରୋଧରେ କଟକର ଓଲଟପୁର ଥାନାରେ ଅଭିଯୋଗ କରିଛି ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ।
ଏହା ପୂର୍ବରୁ ଓଲଟପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା ତଥା ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ କହିଥିଲେ ଯେ ଗତ ଡିସେମ୍ବର ୬ ତାରିଖରେ ନବରଙ୍ଗପୁରର ମଣ୍ଡେଇ ପର୍ବରେ ସାଂସଦ ମୁନ୍ନା ଖାଁ ଲେଖକ ରାମକୃଷ୍ଣ ନନ୍ଦଙ୍କୁ ଅପମାନିତ କରିଥିଲେ। ସେ ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ରଚିତ ପ୍ରାର୍ଥନା ‘ଆହେ ଦୟାମୟ……’ ର ଅନୁପଯୁକ୍ତ ବ୍ୟାଖ୍ୟା କରିଥିଲେ। ‘ମୋର ଧନ ଜନ ଲୋଡ଼ା ନାହିଁ’ ପକ୍ତିଟି ରାମକୃଷ୍ଣ ନନ୍ଦ ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା କରି ଲେଖିଛନ୍ତି। ତେଣୁ ସେ ପ୍ରାର୍ଥନାରେ ନାହିଁ ନାହିଁରେ ରହିଗଲା ବୋଲି କହିଥିଲେ। ଏହା ରାମକୃଷ୍ଣ ନନ୍ଦଙ୍କ ପରିବାର ଓ ପ୍ରାର୍ଥନା ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି ବୋଲି ନନ୍ଦ କହିଛନ୍ତି।
ଏନେଇ ଥାନାରେ ଅଭିଯୋଗ ହେବା ପରେ ସାଂସଦ କ୍ଷମା ପ୍ରାର୍ଥନା କରିଛନ୍ତି। ଖାନ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରି କହିଛନ୍ତି, “ମୁଁ ମୋ ପିଲାଦିନର ଏକ କାହାଣୀ ବର୍ଣ୍ଣନା କରୁଥିଲି ଯେତେବେଳେ କି ମୁଁ ଭକ୍ତି ଗୀତର ପ୍ରକୃତ ଅର୍ଥ ବିଷୟରେ ଜାଣି ନଥିଲି। ଲେଖକ ଓ ତାଙ୍କ ପରିବାର ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମୁଁ ମୋ ଜୀବନରେ କେବେ ବି କୌଣସି ମହାନ ବ୍ୟକ୍ତିଙ୍କୁ ଅପମାନିତ କରିନାହିଁ। ଏଭଳି ଅଜାଣତରେ ଭୁଲ୍ ପାଇଁ ମୁଁ ଦୁଃଖ ପ୍ରକାଶ କରିଥିଲି। ମୁଁ ଆଶା କରୁଛି ଯେ ଲେଖକଙ୍କ ପରିବାର ଲୋକ ବୁଝିବେ ଏବଂ କଥାକୁ ଅତିରଞ୍ଜିତ କରିବାରୁ ଦୂରେଇ ରହିବେ।” ତେବେ ଏହି ଘଟଣା ପରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ଦାବି କରିଛି।