ପ୍ରୟାଗରାଜ: ମହାକୁମ୍ଭ ପାଇଁ କଳସ ସ୍ଥାପିତ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରୟାଗରାଜ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୫୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ

ଉତ୍ତରପ୍ରଦେଶ, ୧୩/୧୨: ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରୟାଗରାଜର‌ ବମରୌଲି ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ଅରେଲ ଘାଟକୁ ଯାଇ ସନ୍ଥମାନଙ୍କୁ ଭେଟିଥିଲେ ଏବଂ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ବିଧିବଦ୍ଧ ପୂଜାର୍ଚ୍ଚନା କରିଥିଲେ।

ଏହି ଗସ୍ତରେ ମହାକୁମ୍ଭ ମେଳା ୨୦୨୫ର ପ୍ରସ୍ତୁତିର ତଦାରଖ କରିବା ସହ ୫,୫୦୦ କୋଟି ଟଙ୍କାର ୧୬୭ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ ଅକ୍ଷୟବଟ କରିଡର, ହନୁମାନ ମନ୍ଦିର କରିଡର, ସରସ୍ୱତୀ କୂପ, ଭରଦ୍ୱାଜ ଆଶ୍ରମ କରିଡର ଏବଂ ଶୃଙ୍ଗଭରପୁର ଧାମ କରିଡର ଅନ୍ତର୍ଭୁକ୍ତ। ଏହାବ୍ୟତୀତ ୨୯ଟି ମନ୍ଦିରର ନବୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ, ନୂତନ ପୋଲ, ଓଭରବ୍ରିଜ ଓ ସଡ଼କ ପ୍ରକଳ୍ପ, ରେଳ ପ୍ରକଳ୍ପ, ବିମାନବନ୍ଦର ଓ ଏନ୍ଏଚ୍ଏଆଇ ପ୍ରକଳ୍ପର ଉନ୍ନତିକରଣ କରାଯିବ।

ସ୍ୱଚ୍ଛ ଏବଂ ପ୍ରଦୂଷଣମୁକ୍ତ ଗଙ୍ଗା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନଦୀରେ ପ୍ରବାହିତ ହେଉଥିବା ଛୋଟ ଡ୍ରେନ୍ ଗୁଡ଼ିକର ବିଶୋଧନ ଏବଂ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପାନୀୟ ଜଳ ଓ ବିଦ୍ୟୁତ ଭିତ୍ତିଭୂମି ପାଇଁ ଅତିରିକ୍ତ ପଦକ୍ଷେପ ମଧ୍ୟ ଉଦଘାଟିତ ହୋଇଛି। ମହାକୁମ୍ଭ ମେଳା ୨୦୨୫ ପାଇଁ ଭକ୍ତମାନଙ୍କୁ ରିୟଲ ଟାଇମ ମାର୍ଗଦର୍ଶନ ଏବଂ ଅପଡେଟ୍ ଦେବା ପାଇଁ ହୋଇଥିବା କୁମ୍ଭ ସହାୟକ ଏଆଇ ଚାଟବୋଟର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ପାଇଁ କଳସ ସ୍ଥାପିତ କରିଛନ୍ତି। ମୋଦି କହିଛନ୍ତି, ପ୍ରୟାଗରାଜ ମାଟିରେ କ୍ରମାଗତ ୪୫ ଦିନ ଧରି ଚାଲିବାକୁ ଥିବା ମହାଯଜ୍ଞ ସୃଷ୍ଟି କରିବ ଏକ ନୂଆ ଇତିହାସ। ଏଥିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହା ଏକତାର ଏଭଳି ମହାନ ବଳିଦାନ ହେବ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେବ। ଆମ ଭାରତ ହେଉଛି ପବିତ୍ର ସ୍ଥାନ ଓ ତୀର୍ଥସ୍ଥାନର ଦେଶ। ଏହା ଗଙ୍ଗା, ଯମୁନା, ସରସ୍ୱତୀ, କାବେରୀ ଓ ନର୍ମଦା ଭଳି ଅଗଣିତ ପବିତ୍ର ନଦୀର ଦେଶ। ଏହା ପ୍ରୟାଗ ଦେଇ ପ୍ରବାହିତ ହେଉଛି। ପ୍ରୟାଗର ପ୍ରତ୍ୟେକ ସ୍ଥାନରେ ପବିତ୍ର ସ୍ଥାନ ଅଛି। ଏହା ସେହି ସ୍ଥାନ ଯାହା ବିନା ପୁରାଣ ସମ୍ପୂର୍ଣ୍ଣ ହୋଇନଥାଏ। ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆମ ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଯାତ୍ରାର ଏକ ପୁଣ୍ୟ ଓ ଜୀବନ୍ତ ପ୍ରତୀକ ହେଉଛି ମହାକୁମ୍ଭ।