ପଦରୁ ହଟିଲେ ଆଇଏଏସ ବିଷ୍ଣୁପଦ ସେଠୀ
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିବା ପରେ ଦୃଢ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର।
ଆଇଏଏସ୍ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ
ଭୁବନେଶ୍ୱର, ୧୭/୧୨: ୧୯୯୫ ବ୍ୟାଚର ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କଡ଼ା ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟ ସରକାରଙ୍କ ୩ଟି ବିଭାଗର ଦାୟିତ୍ୱରେ ଥିବା ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏଏସ୍ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅନୁସୂଚିତ ଜାତି/ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଥିଲେ ବିଷ୍ଣୁପଦ ସେଠୀ। ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସଂଜୀବ ମିଶ୍ରଙ୍କୁ ଏସସି/ଏସଟି ବିଭାଗର ପ୍ରମୁଖ ସଚିବ ଭାବରେ ଅବସ୍ଥାପିତ କରିଛନ୍ତି। ସେହିପରି ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ଭୁବନେଶ୍ୱରର ଏକ ତାରକା ହୋଟେଲ ନିକଟରେ ଥିବା ଏକ ମର୍ସିଡିଜ କାରରୁ ୧୦ ଲକ୍ଷ ଟଙ୍କା ମିଳିବା ପରେ ଏହି ଘଟଣାକୁ ନେଇ ଖୋଳତାଡ଼ ହୋଇଥିଲା। ସିବିଆଇ ଚଢ଼ାଉରେ ଧରା ପଡ଼ିଥିବା ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଛି। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟେଣ୍ଡର ଫିକ୍ସ କରିବା ପାଇଁ ଟଙ୍କା ଟ୍ରାନ୍ସଫର କରିଥିଲେ ବୋଲି ସୂଚନା ମିଳିଥିଲା। ତେଣୁ ସମସ୍ତ ସୂଚନା ପାଇଁ ସିବିଆଇ ଆଇଏଏସ ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରଙ୍କୁ ସମନ ଜାରି କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ବି ସିବିଆଇ ନିକଟରେ ହାଜର ହୋଇ ନାହାନ୍ତି ବିଷ୍ଣୁପଦ। ଯାହାକୁ ନେଇ ବେଶୀ ଦ୍ୱନ୍ଦ ଦେଖାଦେଇଛି। ସିବିଆଇ ନିକଟରେ ହାଜର ନହେଲେ ତାଙ୍କ ବିରୋଧରେ ସିବିଆଇ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ। କିନ୍ତୁ ଏହା ପୂର୍ବରୁ ରାଜ୍ୟ ସରକାର ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।