କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ
‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପୁସ୍ତକ ପାଇଁ ମିଳିବ ଏହି ପୁରସ୍କାର
ଭୁବନେଶ୍ୱର, ୧୮/୧୨: ସାହିତ୍ୟ କ୍ଷେତ୍ରରେ ବହୁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ। ୨୦୨୪ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ। ଶ୍ରୀ ସାମଲଙ୍କ ଦ୍ୱାରା ରଚିତ ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
୨୦୨୫ ମାର୍ଚ୍ଚ ୮ ତାରିଖରେ ନୂଆଦିଲ୍ଲୀର କପରନିକସ ମାର୍ଗସ୍ଥିତ କମନି ଅଡିଟୋରିୟମରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେବ। ଏଥିରେ ପୁରସ୍କାର ବାବଦକୁ ନଗଦ ୧ ଲକ୍ଷ ଟଙ୍କାର ଅର୍ଥରାଶି ମିଳିବ।
୧୯୬୪ରୁ ସାହିତ୍ୟ କ୍ଷେତ୍ରରେ ପାଦ ଥାପି ଉଚ୍ଚକୋଟୀର ଲେଖନୀ ଦ୍ୱାରା ସଭିଙ୍କ ପ୍ରଶଂସନୀୟ ହୋଇ ପାରିଥିଲେ। ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ରେ ଶାରଳା ପୁରସ୍କାର ଓ ୨୦୧୭ରେ ବିଷୁବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।